ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଉଛି ବାତ୍ୟା ପେଥାଇ । ତେବେ ଏହାର ପ୍ରଭାବରେ ଆସନ୍ତା ୧୨ଘଂଟା ପର୍ଯ୍ୟନ୍ତ ଆନ୍ଧ୍ର ଉପକୂଳ ସମେତ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ପେଥାଇ ଲାଣ୍ଡଫଲ କରିବା ସମୟରୁ ଉପକୂଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପଝିପ ବର୍ଷା ଲାଗି ରହିଥିଲା ।
ତେବେ ଆଜି ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବର୍ଷା ହୋଇଛି । ପାଣିପାଭ ବିଭାଗର ସୂଚନା ଅନୁସାରେ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗଂଜାମ, ପୁରୀ, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇ ଅପରାହ୍ନ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ତେବେ ବର୍ଷାରୁୁ ଫସଲକୁ ରକ୍ଷା କରିବା ପାଇଁ ସତର୍କ ରହିବାକୁ କୁହାଯାଇଛି । ଏନେଇ ଉପରୋକ୍ତ ଜିଲ୍ଲାର ଜିଲ୍ଳାପାଳ ମାନଙ୍କୁ ସତର୍କ କରାଯାଇଛି । ଏସଆରସିଙ୍କ ତରଫରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯିବା ସହ ବିଲରେ ଫସଲ ଥିଲେ ତାହାକୁ ଖଳାକୁ ଆଣି ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି ।
ଗତକାଲି ଅପରାହ୍ନରେ ଆନ୍ଧ୍ରପ୍ରପଦେଶର କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ବ୍ୟାପକ ତାଣ୍ଡବ ରଚିଛି ପେଥାଇ । ଏହାର ମୁକାବିଲା ପାଇଁ ଏନଡିଆରଏଫର ୧୨ଟି ଟିମ, ନୌସେନାର ୨ଟି ହେଲିକପ୍ଟର ଓ ୧୦ଟି ଫାୟାର ଟିମକୁ ନିୟୋଜିତ କରାଯାଇଛି । ଏହାସହ ଗତକାଲି କିଛି ଟ୍ରେନର ଗତିପଥକୁ ବଦଳାଇଥିଲା ରେଳ ବିଭାଗ । ନିକଟରେ ତିତଲି କ୍ଷୟକ୍ଷତିର ଭରଣା ନ ହେଉଣୁ ଆନ୍ଧ୍ରରେ ପୁଣି ବ୍ୟାପକ କ୍ଷୟକ୍ଷତି କରିଛି ପେଥାଇ । ତେବେ କ୍ଷୟକ୍ଷତିର ଆକଳନ କରାଯାଇ ନଥିବା ବେଳେ ଏହା ତିତଲି ଭଳି କ୍ଷତି କରି ନଥିବା ଜଣାପଡିଛି ।