ଭୁବନେଶ୍ୱର,୧୫।୨/(ବ୍ୟୁରୋ): କାଳିଆ ଆମ ଠାକୁର କହି ଭକ୍ତଙ୍କୁ ଲୁଟୁଥିବା ଘଟଣାର ଅନେକ ଉଦାହରଣ ରହିଛି । ଜଣେ ପର୍ଯ୍ୟଟକ ଐତିହ୍ୟ ବହନ କରୁଥିବା ମନ୍ଦିରକୁ ଗଲେ କିପରି ଶୋଷଣର ଶିକାର ହୁଏ ତାହା ଯିଏ ଯାଇଥିବେ ସେହିଁ ଭଲଭାବେ କହିପାରିବେ । ତେବେ ଶ୍ରୀଲିଙ୍ଗରାଜ ମହାଦେବଙ୍କୁ ନେଇ ଏଭଳି ଏକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ କେବଳ ଶ୍ରୀଲିଙ୍ଗରାଜ ମନ୍ଦିରର ପ୍ରଶାସନ ନୁହେଁ ବରଂ କମିଶନରେଟ୍ ପୁଲିସ ମଧ୍ୟ ଲଜ୍ଜିତ ହୋଇଛି ।
ଗତ ବୁଧବାର ଯାଇଛି ମହାଶିବରାତ୍ରୀ । ଏଥିପାଇଁ ଶ୍ରୀଲିଙ୍ଗରାଜଙ୍କ ପ୍ରଶାସନ, କମିଶନରେଟ୍ ପୁଲିସ ଓ ବିଏମସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ଭକ୍ତମାନେ କିପରି ସୁରୁଖୁରୁରେ ମହାଦେବଙ୍କ ଦର୍ଶନ କରିପାରିବେ ତାକୁ ନେଇ ଅନେକ ଦିନ ତଳୁ ସମସ୍ତେ ମିଶି ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ । ହେଲେ ଏହିଭିତରେ ଘଟିଛି ଏକ ମହାବିଭ୍ରାଟ । ଯାହା ଅନେକ ଭକ୍ତଙ୍କୁ ନିରାଶ କରିଛି ।
ଶ୍ରୀଲିଙ୍ଗରାଜଙ୍କୁ ଶିବରାତ୍ରୀରେ ଦର୍ଶନ କରିବା ପାଇଁ ସକାଳୁ ଆରମ୍ବ ହୋଇ ରାତି ପର୍ଯ୍ୟନ୍ତ ଅନେକ ଭିଆଇପି ଓ ଭିଭିଆଇ ଆଦି ଯାଇଥାନ୍ତି । ସେମାନଙ୍କ କାରଣରୁ ଯେପରି ଦୂରଦୁରାନ୍ତୁ ହେଉ ଅବା ରାଜଧାନୀରୁ ହେଉ ଭକ୍ତଙ୍କୁ ହଇରାଣ ନହେବାକୁ ପଡେ ସେଥିପାଇଁ ପ୍ରତିବର୍ଷ ଏକ “ପାସ୍” ବ୍ୟବସ୍ଥା କରାଯାଇଥାଏ । ଏହି ପାସ୍ ସେହି ଭିଆଇପି ଓ ଭିଭିଆଇପିଙ୍କୁ ଦିଆଯାଇଥାଏ । ଫଳରେ ଘଣ୍ଟାଘଣ୍ଟା ଧାଡିରେ ଠିଆ ହେବା ଅପେକ୍ଷା ସିଧା ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି । ଏପରିକି ମହାଦୀପ ଯାଉଥିବା ରାସ୍ତା ପର୍ଯ୍ୟନ୍ତ ସେମାନେ ଯାଇଥାନ୍ତି । ଚଳିତ ବର୍ଷ ଏହି ପାସରେ ଘୋର୍ ପ୍ରିୟାପ୍ରିତି ହୋଇଥିବା ଅଭିଯୋଗ ହୋଇଛି । ଏହି ପାସ୍ ବଣ୍ଟା ଦାଇତ୍ତ୍ୱରେ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ମଧ୍ୟ ରହିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ପାସ୍ କାହାକୁ କେତେଟା ଦିଆଯିବ ତାର ଏକ ତାଲିକା ପ୍ରସ୍ତୁତ ହୋଇଯାଇଥିଲା । ଅର୍ଥାତ ବିଏମସି ଠାରୁ ଆରମ୍ବ ହୋଇ ଭୁବନେଶ୍ୱରର ତିନି ଜଣ ବିଧାୟକ ଓ ପୁଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ପାସର ତାଲିକା ନୋଟିସ୍ ବୋର୍ଡ କରି ମରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଯେ ଏହି ପାସର ସଂଖ୍ୟା ୩ଶହରେ ସୀମିତ ରହିଥିବା ବେଳେ ଗତକାଲି ଏଥିରେ ପାଖାପାଖି ଏକ ହଜାର ଲୋକ ପଶିଥିଲେ । ଏହା କିପରି ସମ୍ଭବ ହେଲା ତାକୁ ନେଇ ଅନେକ କଳ୍ପନାଯଳ୍ପନା ପ୍ରକାଶ ପାଇଛି । ତେବେ ଏଟିଆର୍ ନ୍ୟୁଜ୍ ଏହାର କିଛି ତଥ୍ୟ ପାଇଛି ।
୧- ପାସ୍ ଗୁଡିକ ମନ୍ଦିର ବାହାରେ ଜଗି ରହିଥିବା ପୁଲିସ କର୍ମଚାରୀ ଦେଖିବା ପରେ ଏହାକୁ ଚିରୁ ନଥିଲେ । ତେଣୁ ଜଣେ ଏହି ପାସରେ ମନ୍ଦିରକୁ ଯାଇ ଦର୍ଶନ ସାରି ଅନ୍ୟ ଜଣଙ୍କୁ ଦେଇଦେଇ ପାରିବ । କିମ୍ବା ମନ୍ଦିର ବାହାରେ ଥାଇ ଅନ୍ୟ କାହା ହାତରେ ପାସକୁ ବାହାରକୁ ପଠାଇ ଆଉ ଜଣଙ୍କୁ ମନ୍ଦିର ଭିତରକୁ ନେଇ ପାରିବ ।
୨-ଉପରୋକ୍ତ ଏହି କାରଣ ଯୋଗୁ କିଛି ଅସାଧୁ ଲୋକ ଯେଉଁମାନେ ପାସ୍ ହାତେଇଥାନ୍ତି ସେମାନେ ଭରପୁର ଫାଇଦା ନେଇଛନ୍ତି । ଘଣ୍ଟାଘଣ୍ଟା ଧାଡିରେ ଠିଆ ହେଉଥିବା ଲୋକଙ୍କୁ ସିଧା ମନ୍ଦିର ମଧ୍ୟକୁ ପ୍ରବେଶ ଏହି ପାସ୍ ମଧ୍ୟରେ କରିଛନ୍ତି । ଯାହାକୁ ନେଇ ମୋଟା ଅଙ୍କର ଭଲ ବ୍ୟବସାୟ ମଧ୍ୟ ହୋଇଛି ।
ଏଠାରେ ପ୍ରଶ୍ନ ଉଠୁଛି ଖୋଦ୍ ଡିସିପିଙ୍କ ଦସ୍ତଖତ ରହିଥିବା ଏହି ପାସର ଏପରି ଦୁର୍ବବ୍ୟବହାର କିପରି ହେଲା । କାହିଁକି ଏଦିଗରେ କମିଶନରେଟ୍ ପୁଲିସ ମୁହଁ ଖୋଲିଲା ନାହିଁ । ପାସକୁ ନେଇ ଏହି ଚୋରା ବ୍ୟବସାୟୀରେ ପୁଲିସ ଅଧିକାରୀ ଜଡିତ ନାହାନ୍ତି ତ? ଏପରି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ପୁଣି ଅପେକ୍ଷା ଆରବର୍ଷ ଜାଗରକୁ ।