ବାଲେଶ୍ୱର (ଏଟିଆର ବ୍ୟୁରୋ); ଅମାବାସ୍ୟା ରାତି । ଚାରିଆଡ କିଟ୍ କିଟ୍ ଅନ୍ଧାର । ଝିଙ୍କାରୀର ଝିଁ ଝିଁ ଶବ୍ଦରେ ଫାଟୁ ପଡୁଥାଏ ପରିବେଶ । ମା କାଳୀଙ୍କ ପାଖରେ ନରବଳୀ ଦେଇ ସବୁଦିନ ପାଇଁ ଧନଶାଳୀ ହେବାର ଏହାହିଁ ଅପୂର୍ବ ଥିଲା ସୁଯୋଗ । ବାସ ପୂଜା ଆରମ୍ଭ ହେଲା ଆଉ ନରବଳୀ ଭାବେ ସାଧକ ବଳି ଚଢ଼ାଇ ଦେଲେ ନିଜର କୁନି ନାତୁଣୀକୁ ।
ହରର୍ ସିନେମାର କାହାଣୀ ଭଳି ଲାଗୁଥିବା ଏ କଥା କିନ୍ତୁ ସତ ସତିକା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଧି ଗାଁରେ । ଯାହାର ରାୟ ଶୁଣାଇଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ନରବଳୀ ଦେଇଥିବା ଅଭିଯୁକ୍ତ ଜେଜେଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।
୨୦୧୭ ମସିହା ଏପ୍ରିଲ ୩ ତାରିଖରେ ଘଟିଥିଲା ଏହି ଘଟଣା । କାଳୀଙ୍କ ପାଖରେ ବଳି ଦେଇ ବଳୀୟାନ ଓ ଧନଶାଳୀ ହେବାକୁ ଇଚ୍ଛା କରିଥିଲା ଏହି ନୃଶଂସ ଜେଜେ ଶ୍ରୀଧର ସୁତାର । ଅମାବାସ୍ୟା ରାତିରେ ଅଭିଯୁକ୍ତ ଶ୍ରୀଧର ନିଜ ନାତୁଣୀ ଜସ୍ମୀନକୁ ଉଠାଇ ଆଣି ପ୍ରଥମେ ଛୁରୀରେ ଶିଶୁଟିର ହାତ କାଟିଦେବା ପରେ କଳା ସୁତାରେ ଶିଶୁଟିର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା । ଘଟଣା ଜଣା ପଡିଯିବା ଭୟରେ ଶିଶୁଟିର ମୃତଦେହକୁ ପାଳଗଦା ତଳେ ଲୁଚାଇ ରଖିଥିଲା ଶ୍ରୀଧର । ହେଲେ ନିଜ ଆଖିରେ ପୁରା ଘଟଣାକୁ ଦେଖିଥିବା ଶ୍ରୀଧରଙ୍କ ସାନପୁଅ ରିଙ୍କୁ ପୁଲିସ ଓ ଅଦାଲତଙ୍କ ସାମ୍ନାରେ ସବୁ ସତ କଥା କହିଥିଲା । ଆଉ ଆଜି ଦୀର୍ଘ ଦେଢ଼ ବର୍ଷ ପରେ ହତ୍ୟାକାରୀ ଜେଜେକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କୋର୍ଟଙ୍କ ରାୟ ପରିବାରକୁ ନ୍ୟାୟ ଦେଇଛି ବୋଲି କହିଛନ୍ତି ପରିବାର ଲୋକେ ।