କୋଣାର୍କ(ଏଟିଆର ବ୍ୟୁରୋ); ପୁଣି ମାତିଛନ୍ତି ଆଉ ଜଣେ ବାବା । ମାଟି ତଳୁ ସୁନା, ରୂପା, ଅଷ୍ଟଧାତୁ ବାହାର କରିବେ କହି ଲୋକଙ୍କୁ ଲୁଟୁଛନ୍ତି ବାବା ସ୍ୱପ୍ନେଶ୍ୱର । ଜଣେ କି ଦୁଇଜଣଙ୍କ ଠାରୁ ନୁହେଁ, ଅନେକ ଲୋକଙ୍କ ଠାରୁ ବାବା ଲୁଟିଲେଣି ଲକ୍ଷ ଲକ୍ଷ ଟଙ୍କା । ପୁଲିସରେ ଅଭିଯୋଗ ହେଉଛି ହେଲେ ପୁଲିସର ନୀରବତା ବାବାଙ୍କୁ ଦେଉଛି ଲୁଟିବାର ସୁରକ୍ଷା । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରୁ । ଗୋପ ବ୍ଲକ ରାହାଗୋରଡା ସନ୍ତରସ ଗାଁର ଭୀମ ମହାପାତ୍ର ନିଜକୁ ସ୍ୱପ୍ନେଶ୍ୱର ବାବା ନାମରେ ନାମିତ କରି କାହା ଘର ମାଟି ତଳେ କଣ ଅଛି କହି ପାରୁଛନ୍ତି ବୋଲି ଦାବୀ କରୁଛନ୍ତି । ଯାହାକୁ ବିଶ୍ୱାସ କରି ବିଧାରପୁରର ଏକାଦଶୀ ସାହୁ ବାବାଙ୍କୁ ଦେଇଥିଲେ ୪୨ହଜାର ଟଙ୍କା । ନା ଘରୁ କିଛି ମିଳିଲା ନା ବାବାଙ୍କ ପାଖରୁ ଫେରିଲା ଟଙ୍କା ।
ଆଉ ଏ ହେଉଛନ୍ତି ପାର୍ବତୀ ସାହୁ । ଘର ସତ୍ୟବାଦୀ ବ୍ଲକ କେତକୀପାଟଣା ଗାଁରେ । ପାର୍ବତୀଙ୍କ ଘରେ ଅଶାନ୍ତି ଲାଗି ରହୁଥିବାରୁ ସେ ବି ବାବାଙ୍କ ଆଶ୍ରୟ ନେଇଥିଲେ । ହେଲେ ବାବା କହିଥିଲେ, ତାଙ୍କ ଘର ମାଟି ତଳେ ରହିଛି ସୁନା ଓୁ ଅଷ୍ଟଧାତୁ ମୂର୍ତ୍ତୀ । ଯାହାକୁ ବାହାର ନକେଲ ଘରର ଜଣଙ୍କର ମୃତ୍ୟୁ ହେବ । ତେଣୁ ବାବାଙ୍କ କଥାରେ ରାଜି ହୋଇ ଉପଚାର ପାଇଁ ଧାରକରଜ କରି ବାବାଙ୍କୁ ୭୩ ହଜାର ଟଙ୍କା ଦେଇଥିଲେ ପାର୍ବତୀ । ହେଲେ ଏକାଦଶୀଙ୍କ ଭଳି ପାର୍ବତୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଲା । ଧାତୁ ମିଳିଳାନି କି ଧନ ବି ଫେରିଲାନି । ବରଂ ବାବା ଟଙ୍କା ନେଇ ପାର । ଆଉ ଧରାଛୁଆଁ ଦେଉ ନାହାଁନ୍ତି ।
ସେପଟେ ବାରମ୍ବାର ଅଭିଯୋଗ ପରେ ବି ଚୁପ ବସିଛି ବଳଙ୍ଗା ପୁଲିସ । ବାବାଙ୍କ ନାଁରେ ଗଦା ଗଦା ଅଭିଯୋଗ ହେଲେ ବାବାଙ୍କ ଦେହରେ ଟିପ ଲଗାଇ ପାରୁନି ପୁଲିସ । ଏଇ ମନ୍ଦିର ହେଉଛି ବାବାଙ୍କ ନିରାପଦ ସୁରକ୍ଷାସ୍ଥଳ । ଯେଉଁଠି ବଳଙ୍ଗା ପୁଲିସ ପହଂଚି ପାରୁ ନଥିବା ଅଭିଯୋଗ ହୋଇଛି । ଏମିତିରେ ପୁଲିସ ପଦକ୍ଷେପ ନନେଲେ ପରିସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ଗ୍ରାମବାସୀ ।
ଏବେ ଆମର ପ୍ରଶ୍ନ, ଲୋକଙ୍କ ଅଭିଯୋଗ କାହିଁକି ଶୁଣୁନି ପୁଲିସ ? ଭଣ୍ଡବାବାଙ୍କୁ ସାବାଡ କରିବା ପାଇଁ ପୁଲିସର ହାତ ଯାଉନାହିଁ କାହିଁକି ? କାହିଁକି ନିରବ ପୁରୀ ଏସପି ? ନା ବୁଝିବାକୁ ପଡିବ, ବାବାଙ୍କ ବିରାଦରିରେ ପୁଲିସ ବି କରିଛି ଭାଗିଦାରୀର ସଉଦା ? ବ୍ୟୁରୋ ରିପୋର୍ଟ, ଏଟିଆର ନ୍ୟୁଜ