ଟିଟିଲାଗଡ,(ଏଟିଆର ବ୍ୟୁରୋ): ବ୍ୟାଙ୍କ ମ୍ୟାନେଜରକୁ ଗୁଳିମାଡ଼ । ବ୍ୟାଙ୍କ ଭିତରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ମ୍ୟାନେଜର କୁଶଲ ଚନ୍ଦ୍ର ଦୋରା । ତାଙ୍କ ପେଟରେ ୨ଟି ଗୁଳି ବାଜିଥିବା ବେଳେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ରହିଥିବା ସୂଚନା ମିଳିଛି । ଘଟଣାଟି ବିଜେପୁର ଉକ୍ରଳ ଗ୍ରାମୀଣ ବ୍ୟାଙ୍କରେ ଘଟିଛି ।
ରିପୋର୍ଟ ଅନୁସାରେ, ସବୁଦିନ ପରି ବ୍ୟାଙ୍କ ମ୍ୟାନେଜର କୁଶଲ ଚନ୍ଦ୍ର ଦୋରା ଅଫିସକୁ ଆସି କାମ କରୁଥିଲେ । ତେବେ ଅଚାନକ ୨ଜଣ ଦୁର୍ବୃତ୍ତ ବ୍ୟାଙ୍କକୁ ଆସି ଆଖି ବୁଜା ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତଙ୍କ ୨ରାଉଣ୍ଡ ଗୁଳି ମ୍ୟାନେଜରଙ୍କ ପେଟରେ ବାଜିଥିବା ବେଳେ ଅବସ୍ଥା ତାଙ୍କର ଗୁରୁତର ହୋଇପଡିଥିଲା । ଗୁଳିମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ବ୍ୟାଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା ।
ପୁଲିସ ପହଞ୍ଚି ଆହତ ମ୍ୟାନେଜରଙ୍କୁ ଚିକିତ୍ସା ଲାଗି ହସପିଟାଲ ପଠାଇବା ପରେ ଏବେ ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୁଲିସ ଖୋକା ଜବତ କରିଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।