ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି କଂଗ୍ରେସର ଜନ୍ମଦିନ । ଦିଲ୍ଲୀରୁ ପଲ୍ଲୀ ସବୁଠି କଂଗ୍ରେସ କର୍ମୀ ପାଳନ କରୁଛନ୍ତି ଜନ୍ମଦିନ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଥିବା କଂଗ୍ରେସ ଭବନରେ ରାଜ୍ୟ ତୁଙ୍ଗ କଂଗ୍ରେସ ନେତାମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଜନ୍ମଦିନ ଅବସରରେ ଆଗାମୀ ୨୦୧୯ ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି ପିସିସି । ନିକଟରେ ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପରେ ଓଡିଶାରେ ଏହି ବିଜୟର ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି କଂଗ୍ରେସ କର୍ମୀ ।
୧୮୮୫ ମସିହା ଆଜିର ଦିନରେ କଂଗ୍ରେସ ଦଳ ଗଢ଼ି ଉଠିଥିଲା । ଏହି ଦଳ ବହୁଦିନ ଧରି ଦେଶକୁ ଶାସନ କରିଆସିଛି । ଦେଶକୁ ସ୍ୱାଧୀନତା ଆଣିବା ପଛରେ କଂଗ୍ରେସ ମୁଖ୍ୟ ଅସ୍ତ୍ର ଥିଲା । ଓଡିଶାରେ ମଧ୍ୟ କଂଗ୍ରେସ ଦଳ ବହୁଦିନ ଧରି ଶାସନ କରିଥିଲା । ତେବେ ୧୮ ବର୍ଷ ହେବ ଏହି ଦଳ ଓଡିଶାର ଶାସନ ଗାଦିରୁ ବାହାରେ ଅଛି । ସେପଟେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସରକାର ଗଢ଼ିବା ପରେ ଜାତୀୟ ରାଜନୀତିରୁ ମଧ୍ୟ ଦୂରେଇ ରହିଥିଲା କଂଗ୍ରେସ । ତେବେ ନିକଟରେ ୩ଟି ରାଜ୍ୟରେ ସରକାର ଗଢ଼ିବା ପରେ ପୁଣି ଥରେ ଦଳ ଶାସନ ଗାଦିକୁ ଫେରିବ ବୋଲି ଆଶା ରଖିଛି ।