ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ନବବର୍ଷ ଆରମ୍ଭରୁ ସାମ୍ନାକୁ ଆସିଛି ଏକ ଖରାପ ଖବର । ବ୍ୟାଙ୍କ କରଜ ସୁଝି ନପାରି ଚିନ୍ତାରେ ଜେଟ୍ ଏୟାରୱେଜ୍ । ଗତ ସେପ୍ଟମ୍ବର ୩୦ ସୁଧା ୮୦୫୨ କୋଟି ଟଙ୍କା ଏସବିଆଇ ରୁ କରଜ ନେଇଥିଲା ଜେଟ୍ ଏୟାରୱେଜ୍ । ଏହାକୁ ସୁଝିବା ପାଇଁ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩୧କୁ ଶେଷ ସମୟ ଦିଆଯାଇଥିଲା । କିନ୍ତୁ ଟଙ୍କା ଯୋଗଡ ନ ହୋଇପାରିବାରୁ ଏବେ ଚିନ୍ତାରେ ପଡିଛି କମ୍ପାନୀ । କେବଳ ବ୍ୟାଙ୍କ ଋଣ ନୁହେଁ ଗତ କିଛି ମାସ ହେବ କମ୍ପାନୀର କର୍ମୀଙ୍କୁ ଦରମା ମଧ୍ୟ ଦିଆଯାଇନାହିଁ । ସିଧା କହିବାକୁ ଗଲେ ପୂରା କ୍ଷତିରେ ଚାଲିଛି କମ୍ପାନୀ ।
ଖବରମୁତାବକ, ଲଗାତର ଭାବେ କମ୍ପାନୀକୁ କ୍ଷତି ସହିବାକୁ ପଡିଛି । ଜୁଲାଇ ରୁ ସେପ୍ଟମ୍ବର ମାସ ମଧ୍ୟରେ ପାଖାପାଖି ୧୨୬୦ କୋଟି ଟଙ୍କାର କ୍ଷତି ହୋଇଛି । ଏହାପୂର୍ବରୁ ୧୩୨୩ କୋଟିର ଘାଟା ହୋଇଥିଲା । ଆର୍ଥିକ ସଙ୍କଟ ଯୋଗୁଁ ଡିସେମ୍ବର ମାସରେ ବିମାନର ଇକନୋମି କ୍ଲାସରେ ମଗଣା ମିଲ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା ।
ଗତ କିଛି ଦିନ ତଳେ ଜେଟ୍ ଏୟାରୱେଜ୍ ର ସଂସ୍ଥାପକ ଏବଂ ଚେୟାରମ୍ୟାନ ନରେଶ ଗୋୟଲ କର୍ମଚାରୀଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ଲେଖାଥିଲା କି ମିଡିଆ ରିପୋର୍ଟରେ ଧ୍ୟାନ ନଦେଇ କମ୍ପାନୀ ଉପରେ ଭରଶା ରଖନ୍ତୁ । ସେ ଆହୁରୀ ମଧ୍ୟ ଲେଖିଥିଲେ ଆର୍ଥିକ ସମସ୍ୟାର ସୁଧାର ଆଣିବା ପାଇଁ ପୂରା ମ୍ୟାନେଜମେଣ୍ଟ ଲାଗିପଡିଛି । ସେଥିପାଇଁ କମ୍ପାନୀର ଖର୍ଚ୍ଚ କମାଇବା ସହ ଆୟ ବୃଦ୍ଧି କରିବାକୁ ସମସ୍ତକୁ ଅନୁରୋଧ ।