ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଥାଇଲାଣ୍ଡ ଆଡକୁ ମୁହାଁଇଛି ବାତ୍ୟା ପାବୁକ । ଆଣ୍ଡାମାନ ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ଏହା ୧୫୦୦ କିମି ଦୁରରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ତେବେ ଦକ୍ଷିଣ ଚୀନ ସାଗରରେ ଏହା ବାତ୍ୟାର ରୂପ ନେଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ ଥାଇଲାଣ୍ଡ ଆଡକୁ ଏହା ମୁହାଁଉଥିବା କହିଛି ପାଣିପାଗ ବିଭାଗ ।
ତେବେ ଶୁକ୍ରବାର ସଂଧ୍ୟା କିମ୍ବା ଶନିବାର ସକାଳେ ବାତ୍ୟା ପାବୁକ ଥାଇଲାଣ୍ଡ ଉପକୂଳ ଛୁଇଁବା ସମ୍ବାନା ରହିଛି । ଏହାର ପ୍ରଭାବରେ ଥାଇଲାଣ୍ଡରେ ପ୍ରବଳ ବର୍ଷା ଓ ୨୨ ଫୁଟ ଉଚ୍ଚର ଜୁଆର ଉଠିବାର ସମ୍ଭାବନା ଥିବା ନେଇ ସତର୍କ କରାଯାଇଛି । ଯାହାକୁ ନେଇ ସେଠାକାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ତାରିଖ ରାତିରେ ଆଣ୍ଡାମାନ ଦୀପ ଅତିକ୍ରମ କରିବ । ଉତ୍ତର-ପୂର୍ବ ଦିଗରେ ଗତି କରି ୭-୮ ତାରିଖ ବେଳକୁ ମିଆଁମାର ଉପକୂଳ ଆଡକୁ ମୁହାଁଇବ ବାତ୍ୟା ପାବୁକ । ତେବେ ଓଡିଶା ଉପରେ ଏହାର କିଛି ବିଶେଷ ପ୍ରଭାବ ପଡିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।