ତେଲେଙ୍ଗାନା (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବା ସହ ଚର୍ଚ୍ଚା ଜୋର ଧରିଛି ।
ବେରୋଜଗାର ଗରିବ ବ୍ରାହ୍ମଣଙ୍କୁ ସ୍ୱିଫ୍ଟ ଡିଜାୟର ଗାଡି ଦେବାକୁ ଘୋଷଣା କରିଛି ଟିଡିପି । ଯାହାର ଶୋରୁମ୍ ମୂଲ୍ୟ ରହିଛି ୫.୫୦ ଲକ୍ଷ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ବ୍ରାହ୍ମଣ କଲ୍ୟାଣ ନିଗମ ପକ୍ଷରୁ ୫୦ ଟି କାର୍ ପାଇଁ ମଞ୍ଜୁର କରାଯାଇଛି । ଏହାସହିତ ଅମରାବତୀରେ ବେରୋଜଗାର ବ୍ରାହ୍ମଣ ଯୁବକଙ୍କୁ ୩୦ ଟି କାର୍ ର ଚାବି ଦେବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।
ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି କାର୍ ପାଇଁ ଯୋଗ୍ୟ ହେଉଛନ୍ତି ବେରୋଜଗାର ଯୁବକ ଗୋଷ୍ଠୀ । ସେଥିପାଇଁ ଆନ୍ଧ୍ରପ୍ରଦେଶ ବ୍ରାହ୍ମଣ କଲ୍ୟାଣ ନିଗମ ପକ୍ଷରୁ ସବସିଡି ଯିଆଯିବ । ଯେଉଁ ବ୍ୟକ୍ତି ଏହି ସୁବିଧା ପାଇବାରେ ଲାଭାର୍ଥି ହେବେ ତାଙ୍କୁ ପ୍ରଥମେ କାର୍ ର ୧୦ ପ୍ରତିଶତ ଟଙ୍କା ଦେବାକୁ ପଡିବ । ବଳକା ଟଙ୍କା ଆନ୍ଧ୍ରପ୍ରଦେଶ ବ୍ରାହ୍ମଣ ସହକାରୀ କ୍ରେଡିଟ ସୋସାଇଟ୍ ଦ୍ୱାରା ପ୍ରଦାନ କରାଯିବ । ସିଧା କହିବାକୁ ଗଲେ କେବଳ ୫୫ ହଜାର ଟଙ୍କା ଦେଇ ୫.୫୦ ଲକ୍ଷ ଟଙ୍କାର କାର୍ ନେଇ ପାରିବେ ।
ପ୍ରକୃତରେ ସରକାରଙ୍କ ଏହି ଘୋଷଣା ପଛର କାରଣ ହେଉଛି ବ୍ରାହ୍ମଣ ଗରିବ ଶ୍ରେଶୀର ଲୋକେ ଟ୍ୟାକ୍ସି ଚଳାଇ ନିଜ ପରିବାର ପ୍ରତିପୋଷଣ କରିପାରିବେ । ସେଥିପାଇଁ ସରକାରଙ୍କ ପକ୍ଷରୁ ଡିଜାୟର କାର୍ ଦିଆଯିବ । ଏହାକୁ କେବଳ ବାହନ ପରମିଟ୍ ହିସାବରେ ବିକ୍ରି କରାଯିବ । ଏହି କାର୍ କୁ କେବଳ ଟ୍ୟାକ୍ସ ଭାବେ ବ୍ୟବହାର କରାଯିବ ।