ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଚାଷୀଙ୍କ ପାଇଁ ସମସ୍ତ ରାଜ ନୈତିକ ଦଳର ଦରଦ ଦେଖିବାକୁ ମିଳୁଛି । ଚାଷୀଙ୍କୁ ମୋହରା ବନାଇ ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ଲକ୍ଷରେ ରାଜ୍ୟର ତିନି ପ୍ରମୁଖ ଦଳ । ଚାଷୀ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଆରମ୍ଭ ହୋଇ ରାଜନୀତି । ଏହି ରାଜନୈତିକ ପଶାପାଲିରେ ଫସି ଯାଇଛନ୍ତି ଚାଷୀ । ସବୁ ଦଳ କହୁଛନ୍ତି ଚାଷୀ ଆମର । ଆମେ ଚାଷୀଙ୍କ ସହ ଥିଲୁ,ରହିଛୁଏବଂ ରହିବୁ ବୋଲି କହିଛନ୍ତି ବିଜେପି,ବିଜେଡି ଏବଂ କଂଗ୍ରେସ । ଏଣୁ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଚାଷୀ କାହାର ?
ବିଜେଡି ପ୍ରତିବାଦର କାରଣ
ଧାନର ସହାୟକ ମୂଲ୍ୟ ୨୯୩୦ ଦାବିରେ ଦିଲ୍ଲୀରେ ବିଜେଡି ଚାଷୀ ସମାବେଶ କରୁଥିବା ବେଳେ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ସମାନ ଢ଼ଙ୍ଗରେ ପ୍ରତିବାଦ ଆରମ୍ଭ କରିଛନ୍ତି । ୨୦୧୪ ନିର୍ବାଚନ ବେଳେ ଏନଡିଏ ସରକାର ଧାନର ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ଏହାର ପ୍ରଭାବ ପଡିନଥିବାରୁ ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିବା ସହ ସ୍ମାରକ ପତ୍ର ପ୍ରଦାନ କରିବେ ନବୀନ । କେନ୍ଦ୍ର ସରକାର ଓଡିଶାର ଚାଷୀଙ୍କୁ ହତାସ କରୁଥିବା ପ୍ରତିବାଦରେ ଦିଲ୍ଲୀରେ ପ୍ରତିବାଦ କରୁଛି ବିଜେଡି ।
ବିଜେପି ପ୍ରତିବାଦର କାରଣ
ବିଜେଡି ଦୀର୍ଘ ୧୮ ବର୍ଷ ଶାସନରେ ରହିଥିଲେ ମଧ୍ୟ ଚାଷୀଙ୍କ ପାଇଁ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହାଁନ୍ତି । ଯାହା ଫଳରେ ଓଡିଶାର ଚାଷୀମାନେ ବହୁତ ଅସୁବିଧାର ସମୁଖୀନ ହୋଇଛନ୍ତି । ଏଣୁ ଏହି ପ୍ରତିବାଦରେ ରାଜ୍ୟ ବିଜେପି ସଚିବାଳୟ ଘେରାଉ କରିବ ବୋଲି ନିଷ୍ପତି ନେଇଛି ।
କଂଗ୍ରେସ ପ୍ରତିବାଦର କାରଣ
ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ ହାତେଇବା ପାଇଁ ନାଟକ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଗରୁ ବିଜେପି ଏବଂ ବିଜେଡି କେଉଁଠି ଶୋଇଥିଲେ ବୋଲି କଂଗ୍ରେସ ଆକ୍ଷେପ କରିଛି । ବିଜେଡି ଦିଲ୍ଳୀ ଚାଷୀଙ୍କ ପାଇଁ ଯାଇନି ବରଂ ପିକନିକ ପାଇଁ ଯାଇଥିବା ମଧ୍ୟ ଅଭିଯୋଗ କରିଛି ଦଳ । ଏଣୁ କଂଗ୍ରେସ ମଙ୍ଗଳବାର ରାଜଭବନ ଆଗରେ ବିକ୍ଷୋଭ କରୁଛି ।