ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦିଲ୍ଲୀରେ ଗର୍ଜିଲା ବିଜେଡି । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବା ଏମଏସପି ବୃଦ୍ଧିରେ ସିଧା ଟାର୍ଗେଟ କଲା କେନ୍ଦ୍ରକୁ । ଖାସ ଏଥିପାଇଁ ଦିଲ୍ଲୀ ଦରବାରରେ ପହଞ୍ଚି ବିଶାଳ ସମାବେଶ କରିଛି ବିଜେଡି । ଯାହାର ମଙ୍ଗ ଧରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଦେଶ୍ୟ ଚାଷୀଙ୍କୁ ସେମାନଙ୍କ ହକ ଦେବା ।
ତେଣୁ ଦିଲ୍ଲୀରେ ଏକଜୁଟ ହୋଇଛନ୍ତି ସମସ୍ତ ନେତା, ମନ୍ତ୍ରୀ ଓ ବିଧାୟକମାନେ । ମୁଖ୍ୟମନ୍ତ୍ରୀ ବି ବିକ୍ଷୋଭରେ ସାମିଲ ହୋଇଥିବା ବେଳେ ସନ୍ଧ୍ୟାରେ ରାଷ୍ଟ୍ରପତୀଙ୍କୁ ଏକ ସ୍ମାରକପତ୍ର ଦଳ ପକ୍ଷରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଚାଲିଛି କୃଷକଙ୍କ ପାଇଁ ଲଢ଼େଇ । ବିଜେଡି ଅଭିଯୋଗ କରିଛି ୨୦୧୪ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପୂରଣ ହୋଇନାହିଁ । କୃଷକଙ୍କ ସହ ପ୍ରତାରଣା କରିଛି କେନ୍ଦ୍ର ।
୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ଧାନର ଏମଏସପି ବୃଦ୍ଧି କରିବାକୁ ମୋଦି ପ୍ରତିଶୃତି ଦେଇଥିଲେ । ଯାହା ଏଯାବତ ପାଳନ କରାଯାଇନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଇଥିଲେ ବି ଏହା ଉପରେ କେନ୍ଦ୍ର ଆଉ ଗୁରୁତ୍ୱ ଦେଇନଥିବା ବିଜେଡି ଅଭିଯୋଗ କରିଛି । ତେଣୁ ବାଧ୍ୟ ହୋଇ ଏହି ମହାସମାବେଶ ଡକାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ସେପଟେ କେନ୍ଦ୍ରକୁ ଟାର୍ଗେଟ କରି ଦିଲ୍ଲୀରେ ବିଜେଡି ରଣହୁଙ୍କାର ଦେଇଥିବା ବେଳେ ଏପଟେ ରାଜ୍ୟରେ ଗର୍ଜିଛି ବିଜେପି । ଧାନମଣ୍ଡିରେ ଅବ୍ୟବସ୍ଥ୍ାକୁ ନେଇ ସିଧା ସଚ୍ଚିବାଳୟକୁ ଘେରିଛି । ନିର୍ଦ୍ଧାରିତ ମୁଲ୍ୟ ଦେଇ ରାଜ୍ୟ ସରକାର ଧାନ କିଣିପାରୁନାହାନ୍ତି ବୋଲି ଦାବି କରିଛି ବିଜେପି । କେବଳ ଏତିକି ନୁହେଁ ଦିଲ୍ଲୀର ସମାବେଶକୁ ନେଇ ବିଜେପି ବିଜେଡିକୁ ସମାଲୋଚନା କରିଛି ।