ବରଗଡ (ଏଟିଆର ବୁରୋ); ଦୁଲୁକୁଛି ବରଗଡ । କଂସ ରାଜାଙ୍କ ଅଟ୍ଟହାସ୍ୟରେ କମ୍ପୁଛି ମେଦିନି । ସେପଟେ କଂସ ମାମୁଁଙ୍କୁ ବିନାସ କରିବା ପାଇଁ ଧରାପୃଷ୍ଠରେ ଜନ୍ମ ନେଇଛନ୍ତି ପ୍ରଭୂ ଶ୍ରୀକୃଷ୍ଣ । ବରଗଡ ଧନୁଯାତ୍ରାରେ ଆଜି ହେଉଛି ଚତୁର୍ଥ ଦିନ । ଏହି ଚତୁର୍ଥ ଦିନରେ ମହାପ୍ରଭୂ ମଥୁରାରୁ ଆସି ଗୋପରେ ପହଁଞ୍ଚି ଯାଇଛନ୍ତି । ଗୋପପୁରରେ ନନ୍ଦ ରାଜାଙ୍କ ଦରବାରରେ ଚାଲିଛି ପର୍ବ । ନାଚ ଗୀତରେ ଜମି ପଡିଛନ୍ତି ଗୋପପୁର ବାସୀ । ଆମ୍ବପାଲି ପାଲଟିଛି ଦ୍ୱାପର ଯୁଗର ସେହି ଗୋପପୁର ।
ମଥୁରାପୁରୀ ପାଲଟିଥିବା ବରଗଡ ସହରରେ କଂସଙ୍କ ରାଜୁତି ଚାଲିଛି । ଗାଁ ପରିଭ୍ରମଣ କରି ଦୋଷୀଙ୍କ ଦଣ୍ଡ ବିଧାନ କରୁଛନ୍ତିି ମହାରାଜ କଂସ । ସେପଟେ ଗୋପପୁରରେ ଚାଲିଛି କୃଷ୍ଣଙ୍କ ବାଲ୍ୟଲୀଳା । ଯଶୋଦାଙ୍କ ଅଳିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ହସ । ଚାରିପଟେ ରାସନୃତ୍ୟ, ନଗର ସଂକୀର୍ତନ । ଘଂଟଶଙ୍ଗ ହୁଳୁହୁଳି, ସଂକୀର୍ତନରେ କୃଷ୍ଣ ଗୋପପୁର ଭ୍ରମଣ କରିଛନ୍ତି । ଗୋପପୁର କୃଷ୍ଣଭକ୍ତିରେ ଲୀନ ହୋଇଯାଇଛି ।