ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଂଗ୍ରେସ ଦଳରେ ରହିଛନ୍ତି । ହେଲେ ଗୁଣଗାନ କରୁଛନ୍ତି ହରଦମ ବିଜେଡିର । ଯାହା ସେମାନଙ୍କ ପାଇଁ ଏବେ ମହଙ୍ଗା ପଡିପାରେ । ଆମେ କହୁଛୁ ସାଲେପୁର ବିଧାୟକ ପ୍ରକାଶ ବେହେରା ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ କଥା । ଉଭୟଙ୍କ ବିରୋଧରେ ଦଳ ଖୁବ ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରେ । ତାହା ପୁଣି ୨୪ ଘଣ୍ଟା ଭିତରେ ବୋଲି ଏବେ ଆଭାସ ମିଳିଛି । ବର୍ତ୍ତମାନ ଏଭଳି ଚର୍ଚ୍ଚା ଜୋର ଧରିଛି ।
ବୁଧବାର ଝାରସୁଗୁଡା ବିଧାୟକ ନବ ଦାସ ହାତ ଛାଡି ଶଙ୍ଖ ଫୁଙ୍କିବାକୁ ଯାଇଥିଲେ । ଏବେ ପୁଣି ଏହି ଦୁଇନେତା ଶଙ୍ଖ ଫୁଙ୍କିବାକୁ କସରତ ଚଳାଇଥିବା ଶୁଣିବାକୁ ମିଳୁଛି । କାରଣ ଉଭୟଙ୍କ ପୂର୍ବ ରେକର୍ଡକୁ ଦେଖିଲେ ଏମିତି କିଛି ସୁରାକ ମିଳୁଛି । ସିଧା କହିବାକୁ ଗଲେ ବିଭିନ୍ନ ସମୟରେ ଏହି ଦୁଇନେତା ଯେଉଁ ବୟାନ ଦେଇଛନ୍ତି ତାହା କେଉଁଠି ନା’ କେଉଁଠି ବିଜେଡି ଦଳକୁ ପୂରା ପ୍ରଶଂସାରେ ପୋତି ପକାଇଛି । ୩ଦିନ ତଳେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଥିଲେ ଯେ, ରାଜ୍ୟରେ ଗଲା ୨୦ବର୍ଷ ହେବ ବିଜେଡି ଶାସନ କରୁଛି । ଦଳର ସ୍ଥିତି ପୂରା ଭଲ ରହିଛି ।
ସେହିପରି ଯୋଗେଶ ସିଂହ ମଧ୍ୟ ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସିଧା ସଳଖ କହିଥିଲେ ଅଞ୍ଚଳ ପାଇଁ ସେ ଯେତେବେଳେ ଯାହା ଚାହିଁଛନ୍ତି ରାଜ୍ୟ ସରକାର ତାହା ପୂରଣ କରିଛନ୍ତି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଜଣେ ବହୁତ ଭଲ ଲୋକ ଓ ସେଥିପାଇଁ ଗତ ୧୮ବର୍ଷ ଧରି ସେ ଶାସନ କରି ଆସୁଛନ୍ତି ବୋଲି ବୋଲି ଯୋଗେଶ କହିଥିଲେ । ସବୁଠୁ ବଡ଼ କଥା ହେଉଛି ଯେତେବେଳେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି ଠିକ ସେତିକି ବେଳେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ କହିବା ଏଭଳି ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି । ଏସବୁ ଘଟଣାକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ଦୁଇନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ଚାଲିଛି ।