ଭୁବନେଶ୍ୱର (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣି ଫେରିବ ଶୀତର ଲହରୀ । ହାଡଭଙ୍ଗା ଶୀତରେ ଥରିବ ଓଡିଶା । ପାରଦ ତଳକୁ ଖସି ଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ବିଶେଷ କରି ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ଜାଡର ପ୍ରଭାବ ଅଧିକ ରହିଛି । ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଦିନ ଅପେକ୍ଷା ରାତିରେ ଅଧିକ ଥଣ୍ଡା ଅନୁଭବ ହେବ । କେତେକ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟ ରହିଛି । ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, କେନ୍ଦୁଝର,ବଲାଙ୍ଗିର, ଅନୁଗୁଳ,ସୋନପୁର, ବୌଦ୍ଧ, ବରଗଡ଼,ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଦିନ ଅପେକ୍ଷା ରାତିରେ ଥଣ୍ଡା ପବନ ବହିବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ଦାରିଙ୍ଗବାଡ଼ି, ଫୁଲବାଣୀ, ଅନୁଗୁଳରେ ପୂର୍ବ ଭଳି ସ୍ଥିତି ଉପୁଜିବ। ପାରଦ ସର୍ବନିମ୍ନସ୍ତରକୁ ଛୁଇଁବ। ରାତିର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ଦିନର ତାପମାତ୍ରା କିନ୍ତୁ ବଢ଼ିବ। କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।