ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ କପିଳେଶ୍ୱର କେନାଲ ବନ୍ଧରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଏବଂ ଛୋଟ ଝିଅ ପୋଡି ହୋଇଯାଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ବାବୁଲି ଦାସ,ସ୍ତ୍ରୀ ଜାନକୀ ଦାସ ଏବଂ ତାଙ୍କର ୪ ବର୍ଷର ଝିଅ । ଡାକ୍ତରଙ୍କ ସୂଚନା ଅନୁଯାୟୀ ସେମାନଙ୍କ ଶରୀରର ପ୍ରାୟ ୫୦ ଶତକଡା ପୋଡି ଯାଇଛି । ତେବେ ଏହା କିପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜାଣିବା ପାଇଁ ଲିଙ୍ଗରାଜ ଥାନା ପୋଲିସ ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ ଶନିବାର ଭୋର ସମୟରେ ବାବୁଲିଙ୍କ ଘରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସେମାନେ ପାଖକୁ ଯାଇ ଦେଖିବା ବେଳକୁ ପରିବାରର ୩ ଜଣ ସମ୍ପୂର୍ଣ୍ଣ ନିଆଁରେ ପୋଡି ହୋଇ ଯାଇଛନ୍ତି । ଏଣୁ ଲୋକ ସେମାନଙ୍କୁ ବଞ୍ଚାଇବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ପଡୋଶୀଙ୍କ କହିବା ମୁତାବକ ବାବୁଲି ପରିବାରରେ କଳହ ଲାଗି ରହିଥିଲା । ଏଣୁ ସେମାନେ ବୋଧ ହୁଏ ଦେହରେ କିରୋସିନ ଲଗାଇ ସମସ୍ତେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥାଇ ପାରନ୍ତି ।