କଳାହାଣ୍ଡି (ଏଟିଆର ବ୍ୟୁରୋ); ପୁଣି ଲଜ୍ଜା । ଆଉ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଘଟଣା ନଜରକୁ ଆସିଛି । ଦାରିଙ୍ଗବାଡି,ଢ଼େଙ୍କାନାଳ,ଯାଜପୁର ପରେ କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ପୋଲିସ ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲା ସୁଗ୍ରିବ ଜାଲ । ସେ ଜଣେ ବିବାହିତ ପୁରୁଷ ବୋଲି ଜଣାପଡିଛି । ତେବେ ପିଡିତା ଛାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଧର୍ମଗଡରେ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ୧୩ ବର୍ଷୀୟ ନାବାଳିକାକୁ ସେହି ଗ୍ରାମର ବିବାହିତ ସୁଗ୍ରୀବ ଜାଲ ସ୍ତ୍ରୀ ନଥିବା ସମୟରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତେବେ ଏହି କଥା କାହା ଆଗରେ କହିଲେ ମାରି ଦେବାର ଧମକ ମଧ୍ୟ ଦେଇଥିଲା । ଏଭଳି ଡରାଇ ୩ ଥର ଦୁଷ୍କର୍ମ କରିଥିଲା । ଭୟରେ ଘର ଲୋକଙ୍କ ଆଗରେ ଏହି କଥା କହିନଥିଲେ ନାବାଳିକା । ତେବେ ପେଟରେ ଯନ୍ତ୍ରଣା ହେଉଥିବାରୁ ପରିବାର ଲୋକ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାକୁ ଯିବା ପରେ ଜଣା ପଡିଥିଲା କି ସେ ଗର୍ଭବତୀ ଅଛନ୍ତି । ଏହାପରେ ପରିବାର ଲୋକ ଅଭିଯୁକ୍ତ ନାଁରେ ଏତଲା ଦେଇଥିଲେ ।