ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଚର୍ଚ୍ଚାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ସୁରକ୍ଷା ଭତ୍ତାରେ ୨ଶହ ଟଙ୍କା ବୃଦ୍ଧି କରିଛନ୍ତି ନବୀନ । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଏଣିକି ୩ଶହ ଟଙ୍କା ଭତା ପାଉଥିବା ହିତାଧିକାରୀ ୫ଶହ ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମି ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭତ୍ତା ବୃଦ୍ଧି ହେବା ପରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ସବୁବେଳେ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚର୍ଚ୍ଚାରେ ରହିଥାନ୍ତି ନବୀନ । ତେବେ ଭତ୍ତା ବଢ଼ାଇବା ପରେ ବେଶ ଖୁସି ଅଛନ୍ତି ହିତାଧିକାରୀ । ନବୀନଙ୍କ ଏହି ଘୋଷଣାକୁ ଅନେକ ସ୍ୱାଗତ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଏପରି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରୁଛନ୍ତି ।