ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଉ ଅଲଗା ବେଳକୁ ଷଣ୍ଢ । ଆଗ ପଛ ଦେଖାଦେଖି ନାହିଁ । ଘରୁ ଉଠାଇ ଆଣ, ମାମଲା ରୁଜୁ କରି କୋର୍ଟ ଚାଲାଣ କର । ଲୋକଙ୍କୁ ଏମିତି ତ୍ୱରିତ ସେବା ଯୋଗାଉଥିବା କହି ଛାତି ଚଉଡା କରି ବୁଲୁଥିବା କମିଶନରେଟ ପୁଲିସର ଅସଲ ଚେହେରା ଆଜି ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କୁ ଗିରଫ ବେଳକୁ ହାତକୁ ବାତ ମାରିଯାଇଛି । ସିଧା କହିବାକୁ ଗଲେ ଆକ୍ରମଣକାରୀମାନେ ଏକ ରାଜନୈତିକ ଦଳରେ ଜଡିତ ଥିବା ଯୋଗୁ ହାତ ମାରିବାକୁ କୁନ୍ଥ କୁନ୍ଥ ହେଉଛି ପୁଲିସ । ରାଜନୈତିକ କାରଣ ଯୋଗୁ ହାତ ମାରି ହେଉନଥିବା ଲାଖୁନା ଲୁଚାଇବାକୁ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନର ଥୋପ ପକାଇଛି । ଆମେ ଏଥିପାଇଁ ଏହି ପ୍ରସଂଗ ଉଠାଇଛୁ କାରଣ କେତେକ ଉଦ୍ଧତ ଯୁବକ ଆଜି ଜଣେ ସାମ୍ବାଦିକଙ୍କୁ ମାରି ଲହୁଲୁହାଣ କରିଛନ୍ତି ।
ଦୈନିକ ଖବର କାଗଜ ପ୍ରମେୟର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । କପିଳେନ୍ଦ୍ରଙ୍କ ଭୁଲ ଥିଲା ଏତିକି ଯେ, ଉତ୍ପାତ ହୋଇ ଦୁର୍ବୃତ୍ତମାନେ ସର୍ବସାଧାରଣରେ ମା’ ଭଉଣୀ ଉଡାଉଥିବା ବେଳେ ସେ ଏହାର ପ୍ରତିବାଦ କରିଥିଲେ । ଆଉ ତା’ ପରେ କପିଳେନ୍ଦ୍ରଙ୍କୁ ହୋଇଥିଲା ଅତର୍କିତ ଆକ୍ରମଣ । ସବୁଠୁ ବଡ଼ କଥା ହେଲା ରକ୍ତାକ୍ତ ହୋଇ ସାମ୍ବାଦିକ କପିଳେନ୍ଦ୍ର ଥାନାରେ ପହଞ୍ଚିଥିଲେ ବି ତୁରନ୍ତ ପଦକ୍ଷେପ ବଦଳରେ ବରିଷ୍ଠ ଅଧିକାରୀମାନେ ଏବେ ଓଲଟି ଲଲିପପ ଧରାଇ ଦେଇଛନ୍ତିି । ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି ।
ଲଲିପପ କଥା ଆମେ ଏଥିପାଇଁ କହୁଛୁ କାରଣ ବିଗତ ଦିନର ରେକର୍ଡ କହୁଛି ଅନେକ ଘଟଣାରେ ପୁଲିସ ଏହି ସମାନ ଡାଇଲଗ ମାରିଛି । ହେଲେ ରେଜଲ୍ଟ ଘର ଆଳୁ । ସେ ନୟାପଲ୍ଲୀ ଟ୍ରାଫିକ ପାଖରେ ସାମ୍ବାଦିକଙ୍କୁ ଆକ୍ରମଣ ହେଉ ଅବା ରସୁଲଗଡ଼ ଛକରେ ଠେଲାପେଲା, ପୁଲିସର କାର୍ଯ୍ୟାନୁଷ୍ଠାନ ଡାଇଲଗ କେବଳ ଡାଏରୀରେ ରହିଯାଇଛି । ଏବେ ଆମର ପ୍ରଶ୍ନ ଏହି ଡାଇଲଗ ପୁଣି ସେହି ଡାଏରୀର ଆଉ ଏକ ଫର୍ଦ୍ଦରେ ଯୋଡି ହେବନି ତ? ଯଦି ନାଁ ତେବେ କାହିଁକି ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଗଲା ନାହିଁ? ଅଭିଯୁକ୍ତର ନା ସୌମ୍ୟ ବୋଲି ଜଣାପଡିଥିବା ବେଳେ ଆଉ ତା’ ବାବଦରେ ପୁଲିସ ପାଖରେ ଢ଼େର ତଥ୍ୟ ଥାଇ ବି କାହିଁକି ଚୁପ ବସିଛି କମିଶନରେଟ ପୁଲିସ? ନା ଆମେ ଭାବିବାକୁ ବାଧ୍ୟ ହେବୁ କେବଳ ସାଧାରଣ ଲୋକଙ୍କ ଉପରେ ଦାଉ ସାଧିବାରେ ଓସ୍ତାଦ କମିଶନରେଟ ପୁଲିସ? ସୌମ୍ୟର ରାଜନୈତିକ ଲିଙ୍କ ପୁଲିସ ବାବୁଙ୍କ ହାତକୁ ବାନ୍ଧି ରଖିବା ପଛର କାରଣ ନୁହେଁ ତ’ ? ଏ ତମାମ ପ୍ରଶ୍ନ ଏବେ ସାଧାରଣର ଉଙ୍କି ମାରୁଛି ।
ଏସବୁ ଘଟଣାକୁ ଗୁରୁତର ସହ ଦେଖିଲେ ଲାଗୁଛି ‘ରାତ ଗୟୀ ବାତ ଗୟୀ’ ନୀତିରେ ତାମସା ଦେଖୁଛି ପୁଲିସ । ସେପଟେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ପୁଲିସର ଢ଼ିଲା କାର୍ଯ୍ୟ ଯୋଗୁ ଏଭଳି ସମସ୍ୟା ଅଧିକାଂଶ ସ୍ଥାନରେ ନଜରକୁ ଆସୁଛି । ଆଶା କରିବୁ ଏହି ଘଟଣାରେ ବରିଷ୍ଠ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ନଚେତ କେତେବେଳେ ଯେ, ସାମ୍ବାଦିକ ମାନେ କାର୍ଯ୍ୟବନ୍ଦ କରି ପୁଲିସ ଅଫିସ ଘେରାଉ କରିବେ ତାହା କିଏ କହିବ ।