ଭୁୁବନେଶ୍ୱର,୨୨ା୨/(ବ୍ୟୁରୋ): ସ୍ପେଶାଲ ସ୍କ୍ୱାଡକୁ ପୁଣି ଏକ ବଡ଼ ଧରଣର ସଫଳତା । ଝାରପଡ଼ା ଗାଁର ମୁଖିଆଙ୍କୁ ହୋଇଥିବା ବୋମା ମାଡ଼ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ଟିମ୍ ।
ଗିରଫ ଅଭିଯୁକ୍ତମାନେ ହେଲେ କଟକ ଆଠଗଡ଼ର ସୁବାଶିଷ ସାହାଣୀ ଓରଫ୍ ମୁନା ଓରଫ୍ ଲୁନିଆ, ପୁରୀ ବାଶେଳି ସାହିର ଜ୍ୟୋତିପ୍ରକାଶ ମହାନ୍ତି ଓରଫ ସୋଲି, କଟକ ଆଠଗଡ଼ର ଦେବରାଜ ନାୟକ ଓରଫ ଦେବ, ଢ଼େଙ୍କାନାଳର ପବନା ନାୟକ ଓରଫ ପବନ, କଟକ ରାୟପୁର ଅଂଚଳର ସିପୁନ କୁମାର କବି ଓରଫ ସିଲୁ।
ଏତିକି ନୁହେଁ ୩୦ଟି ଅଫୁଟା ବୋମା ମଧ୍ୟ ଜବତ କରିଛି । ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ଆଠଗଡ଼ ଓ କଟକରେ ଏକାଧିକ ମାମଲା ଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଡିସେମ୍ବର ୧୩ରେ ହୋଇଥିବା ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲେ ଏହି ଅଭିଯୁକ୍ତମାନେ । ବୋମା ଭିଡ଼ିବା ସହ ବୋମା ଫିଙ୍ଗିବା ପର୍ଯ୍ୟନ୍ତ ସବୁ ଘଟଣାରେ ଜଡିତ ଥିଲେ ।
ତେବେ ଘଟଣାପରଠୁ ସେମାନେ ଫେରାର ରହିଥିଲେ । ଯାହାଙ୍କ ଉପରେ ପୂରା ନଜର ରଖିଥିଲା ସ୍ପେଶାଲ ସ୍କ୍ୱାଡ ।ଗୁରୁବାର ଲକ୍ଷ୍ମୀସାଗର ଥାନା ଝାରପପଡ଼ା ମଙ୍ଗଳମନ୍ଦିର ପାଖରେ ଚଢ଼ାଉ କରିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ ପୁଣି ପୁଲିସ ସ୍କାନରକୁ ଆସିଛି କୁନୁ ଜେନା ।
କୁନୁ ଜେନା କିଛିଦିନ ତଳେ ଆଇଏଏସଙ୍କ ଘରେ ଭଙ୍ଗାରୁଜା କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲା ।