ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ବୀର ଓଡିଆ ଯବାନ ହେମନ୍ତ କୁମାର ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନିଜ ପୈତୃତ ଗାଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଅଠରାଙ୍ଗରେ ପଞ୍ଚଭୂତରେ ଲିନ ହୋଇ ଯାଇଛନ୍ତି ହେମନ୍ତ । ହେମନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ ଅଞ୍ଚଳର ଶହ ଶହ ଲୋକଙ୍କ ଭିଡ ଜମିଥିଲା । ନିଜର ସହୀଦ ପୁଅକୁ ହରାଇ ବାପା ମାଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଶାନ୍ତ ସ୍ୱଭାବର ହେମନ୍ତଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକ । ସେପଟେ ସାଙ୍ଗ ସାଥୀମାନେ ମଧ୍ୟ ହେମନ୍ତଙ୍କୁ ଝୁରି କାନ୍ଦୁଥିବା ଦେଖିବାକୁ ମିଳିଛି । ଦେଶ ମାତୃକା ପାଇଁ ସହୀଦ ହୋଇଥିବା ହେମନ୍ତ ସବୁଦିନ ପାଇଁ ଦେଶବାସୀଙ୍କ ମନରେ ରହିବେ।
ରବିବାର ରାତିରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସହୀଦ ହେମନ୍ତଙ୍କ ମର ଶରୀରକୁ ଜମୁ-କାଶ୍ମୀରରୁ ଭୁବନେଶ୍ୱର ଅଣା ଯାଇଥିଲା । ଏହା ପରେ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ନିଜ ପୈତୃକ ଗାଁ ଅଠରାଙ୍ଗକୁ ନିଆ ଯାଇଥିଲା । ଦେଶ ମାତୃକା ପାଇଁ ସହୀନ ହୋଇଥିବା ବୀର ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ଗାଁରେ ହଜାର ହଜାର ଲୋକଙ୍କ ଭିଡ ଜମି ରହିଥିଲା । ଗାଁରେ ପହଁଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଇଥିଲା । ଏହି ପରିକ୍ରମାରେ ଶହ ଶହ ଲୋକ ଯୋଗ ଦେଇଥିଲେ । ଗାଁ ପରିକ୍ରମା କରିବା ପରେ ସମସ୍ତେ ହେମନ୍ତଙ୍କ ଶେଷ ଦର୍ଶନ କରିଥିଲେ । ଏବଂ ପରେ ଗାଁ ମଶାଣୀକୁ ନେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରା ଯାଇଥିଲା । ଶେଷରେ ପଞ୍ଚଭୂତରେ ଲୀନ ହୋଇ ଯାଇଥିଲେ ବୀର ସହୀଦ ହେମନ୍ତ । ବାପା ମା,ପରିବାର ବର୍ଗ ଏବଂ ଗାଁ ଲୋକ ସମସ୍ତେ ମଶାଣୀ ହେମନ୍ତଙ୍କୁ ବାହୁନି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।
ଜମୁ-କାଶ୍ମୀରର ବାରାମୁଲାରେ ଆତଙ୍କବାଦୀଙ୍କ ଗୁଳିରେ ସହୀଦ ହୋଇ ଯାଇଛନ୍ତି ହେମନ୍ତ । ଦେଶ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଜାନୁଆରୀ ୨୬ ତାରିଖରେ ସହୀଦ ହୋଇଥିଲେ ହେମନ୍ତ । ଯାହାକି ସବୁଦିନ ପାଇଁ ଚୀର ସ୍ମରଣୀୟ ହୋଇ ରହିବ । ହେମନ୍ତ ବାପା ମାଙ୍କର ଏକ ମାତ୍ର ସନ୍ତାନ । ପୁଅ ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ସହୀଦ ହୋଇଥିବାରୁ ବାପା ଗର୍ବିତ ବୋଲି କହିଛନ୍ତି । ତାଙ୍କ ବାପା ମଧ୍ୟ ପୂର୍ବରୁ ଦେଶ ପାଇଁ ଡିଫେନ୍ସ ଲାଇନରେ କାମ କରିଛନ୍ତି । ଏଣୁ ପିଲାଟି ବେଳରୁ ବାପା ଭଳି ଦେଶ ପାଇଁ କାମ କରିବାର ଲକ୍ଷ ରଖିଥିଲେ ହେମନ୍ତ । ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ ହେମନ୍ତ । ମାତ୍ର ଅଳ୍ପ ବୟସରେ ସହୀଦ ହୋଇ ଯାଇଥିବାରୁ ସମସ୍ତେ ବାହୁନି କାନ୍ଦୁଛନ୍ତି ।