ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂରା ଢ଼ିଲା ମାରିଥିଲେ । ଖାମଖିଆଲି ହୋଇ ବସିଥିଲେ । ପଡିଲା ଚାପ । ବୁଦ୍ଧିବାଟ ହଜିଗଲା । ୨୪ଘଣ୍ଟା ଭିତରେ ଯାହା ହୋଇନଥିଲା ମାତ୍ର ୨୪ମିନିଟରେ ଗେମ ଓଭର । ‘ସାମ୍ବାଦିକ ସୁରକ୍ଷା ମଞ୍ଚ’ର ଏକତାକୁ ଦେଖି ପୂରା ଛାନିଆ ହୋଇଗଲା ପୁଲିସ । ଖୋଜି ଖୋଜି ଅଭିଯୁକ୍ତଙ୍କୁ ଗିରଫ କଲା । ଆମେ କହୁଛୁ ପ୍ରମେୟ ସାମ୍ବାଦିକ କପିଳେନ୍ଦ୍ରଙ୍କୁ ଆକ୍ରମଣ ଘଟଣା କଥା । ରବିବାର ସନ୍ଧ୍ୟାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ସେମାନେ ହେଲେ ସୌମ୍ୟ ରଂଜନ ମହାପାତ୍ର, ସୁବ୍ରତ ବିଶ୍ୱାଳ ଓ ଅନନ୍ତ ସାମନ୍ତରାୟ ।
ସୌମ୍ୟ ହିଁ ଥିଲା ପୂରା ନାଟର ଗୋବର୍ଦ୍ଧନ । ତେବେ ଏସବୁ ଭିତରେ ପୁଲିସର ସ୍ୱଚ୍ଛତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ଆମେ ଏଥିପାଇଁ ଏକଥା କହୁଛୁ କାରଣ ଅଭିଯୁକ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି ସହିଦନଗର ଥାନା ପୁଲିସ । ଘଟଣାପରଠୁ ଗିରଫ ନକରି ଚୁପ ବସିଥିବା ପୁଲିସ ଏବେ ନିଜର ଭାଇକୁଟୁମ୍ବ ଭଳି କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବାକୁ ଭରପୂର ସହଯୋଗ କରିଛି । ଦଫା ୩୦୭ ବଦଳରେ ମାମୁଲି ଦଫା ଲଗାଇ ପୁଲିସ ନିଜର ଦାୟିତ୍ୱ ସାରିଛି । ସେପଟେ ଅଭିଯୋଗ ପତ୍ର ଓ କପିଳଙ୍କ ହାଲତ ହିଁ ବୟାନ କରୁଥିଲା କେମିତି ଅମାନୁଷିକ ଭାବେ ତାଙ୍କୁ ମାଡ଼ ମରାଯାଇଥିଲା । ତଣ୍ଟି ଉପରେ ଗୋଡ ରଖି ଅଭିଯୁକ୍ତମାନେ ସରେଆମ ହତ୍ୟା କରିବାକୁ କପିଳଙ୍କୁ ଧମକ ଦେଇଥିଲେ । ହେଲେ ର୍ଦୁଭାଗ୍ୟ ପୁଲିସ ୩୦୭ ଦଫା କାହିଁକି ଲଗାଇଲା ନାହିଁ ତାକୁ ନେଇ ଏବେ ଚର୍ଚ୍ଚା ।
ପୂରା ଘଟଣାଟି ଥିଲା ଏହିପରି, କପିଳେନ୍ଦ୍ର ତାଙ୍କର ଜଣେ ବନ୍ଧୁଙ୍କ ସହ ମହାରାଜା ଫିଲ୍ମ ହଲକୁ ଯାଇ ଆକ୍ରମଣ ଶିକାର ହେଲେ । ଥାନାରେ ଅଭିଯୋଗ କଲେ । ହେଲେ ପୁଲିସ ଶୁଣି ନଶୁଣିବାର ଅଭିନୟ କଲା । ଗିରଫ କରିବା ଛାଡି ତଦନ୍ତର ଦ୍ୱାହି ଦେଇ ଚୁପ ବସିଲା । ବାସ ଏହାପରେ ଘଟଣାକୁ ନିନ୍ଦା କରି ସ୍ୱର ଉଠାଇଲା ସାମ୍ବାଦିକ ସୁରକ୍ଷା ମଞ୍ଚ । ଯାହାର ମଙ୍ଗ ଧରିଥିଲେ ସାମ୍ବାଦିକତା ଜଗତର ବାଦସାହା ସତ୍ୟପ୍ରକାଶ ନାୟକ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କଲେ ।
ଏତିକିରେ ଚୁପ ବସିନଥିଲା ମଞ୍ଚ । ସନ୍ଧ୍ୟାରେ ପୁଲିସ ଡିଜିଙ୍କୁ ଭେଟି ସହିଦନଗର ଥାନାର ଟାଳଟୁଳ ନୀତି ଚଳିବ ନାହିଁ ବୋଲି ରୋକଠୋକ ଶୁଣାଇଦେଲେ ସତ୍ୟପ୍ରକାଶ । ଏତେସଂଖ୍ୟକ ସାମ୍ବାଦିକଙ୍କ ଅସନ୍ତୋଷ ଦେଖି ପୁଲିସ ଡିଜି ବି ଛାନିଆ ହୋଇପଡିଲେ । ଘଟଣାର ତଦନ୍ତ ସହିଦନଗର ପୁଲିସ ହାତରୁ କାଢ଼ି ଜଣେ ସ୍ପୋଶାଲ ଅଫିସରକୁ ଦାୟିତ୍ୱ ଦିଆଯିବାର ନିର୍ଦ୍ଦେଶ ଦେଲେ । ବାସ ଏହାପରେ ସହିଦନଗର ଥାନାର ଅକଲ ଗୁଡୁମ ହୋଇଯାଇଥିଲା । ପୁଲିସ ଡିଜିଙ୍କ ପାଖରେ ନିଜର ଗୁଡ ଇମେଜ ବଞ୍ଚାଇବାକୁ ଯାଇ ନିଜେ ସୁରକ୍ଷା ଦେଉଥିବା ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରିଥିଲା ।
ତେବେ ଏଠାରେ କହି ରଖିବାକୁ ଚାହୁଁଛୁ….ଗଣମାଧ୍ୟମ ଓ ଗଣମାଧ୍ୟମ ସହ ଜଡିତ କୌଣସି ବ୍ୟକ୍ତି ବିଶେଷଙ୍କୁ ଯଦି କେହି ଆକ୍ରମଣ କଥା ଦୂରେ ଥାଉ ଧମକ ବି ଦିଏନା ତେବେ ସାଂଘାତିକ ହେବ । ଏଥରକ ସାମ୍ନାକୁ ଆସିବ ସାମ୍ବାଦିକ ସୁରକ୍ଷା ମଞ୍ଚ ।