ଭୁବନେଶ୍ୱର,(ଏଟିଆରବ୍ୟୁରୋ): ସିବିଆଇ ଟାର୍ଗେଟରେ ପୁଲିସ କମିଶନର । ଚିଟଫଣ୍ଡ ମାମଲାରେ ଜଡିତ ଥିବା ଅଭିଯୋଗରେ ଏବେ ପୁଲିସ କମିଶନରଙ୍କୁ ଖୋଜୁଛି ସିବିଆଇ । ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି କୋଲକତା ପୁଲିସ କମିଶନର ରାଜୀବ କୁମାର । ପଶ୍ଚିମବଙ୍ଗ ଚିଟଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରେ ।
୧୯୮୯ ବ୍ୟାଚର ଆଇପିଏସ ଅଫିସର ରାଜୀବ କୁମାରଙ୍କ ଗିରଫ ଘଟଣାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି ହୋଇଛି । ସବୁଠୁ ବଡ କଥା ହେଉଛି ଗଲା ୩ଦିନ ହେବ ରାଜୀବ କୁମାରଙ୍କ କୌଣସି ଖୋଜଖବର ନାହିଁ । ଏପରିକି ଇଲେକ୍ସନ କମିଶନର ଡାକିଥିବା ବୈଠକରେ ମଧ୍ୟ ରାଜୀବ ଉପସ୍ଥିତ ହୋଇନଥିଲେ ବୋଲି ସୂଚନା ମିଳିଛି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜିଙ୍କ ବେଶ ଖାସ ହେଉଛନ୍ତି ରାଜୀବ କୁମାର ।
ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଭାବେ କାମ କରୁଥିଲେ ରାଜୀବ । ତେବେ ସେହି ସମୟରେ ଏହି ଚିଟଫଣ୍ଡ ତଦନ୍ତ ପ୍ରକୀୟା ଧିମେଇ ଯାଇଥିବା ଅଭିଯୋଗ ଉଠିଥିଲା । ସାରଦା ଓ ରୋଜଭ୍ୟାଲି ଭଳି ଚିଟ୍ଫଣ୍ଡ ସଂସ୍ଥାର କଚା ଚିଠା କାଢ଼ିବାର ଦାୟିତ୍ୱ ଦିଆଯାଇଥିଲା ରାଜୀବଙ୍କୁ । ହେଲେ ତଦନ୍ତ ସମୟରେ ରାଜୀବ କୁମାର ଅନିୟମିତତା କରିଥିବା ଏବେ ସିବିଆଇ ସନ୍ଦେହ କରୁଛି । ଖାସ ସେଥିପାଇଁ ଘଟଣା ସମ୍ପର୍କୀତ ସମସ୍ତ ଦସ୍ତାବିଜ୍ ନେବାକୁ ସିବିଆଇ ଚାହୁଁଛି ।
ଏସଆଇଟି ଅଧ୍ୟକ୍ଷ ଭାବେ ଜମ୍ମୁକାଶ୍ମୀରରୁ ସାରଦା ଚିଟଫଣ୍ଡ ମୁଖ୍ୟ ସୁଦିପ୍ତ ସେନ ଓ ତାଙ୍କ ସହଯୋଗୀ ଦେବଜାନୀଙ୍କୁ ଗିରଫ କରିଥିଲେ ରାଜୀବ କୁମାର । ତେବେ ଉଭୟ ଗିରଫ ହେବା ପରେ ସେମାନଙ୍କଠୁ ଯେଉଁ ଡାଏରୀ ମିଳିଥିଲା ତାକୁ ହିଁ ରାଜୀବ କୁମାର ଗାଏବ କରିଦେଇଥିବା ସନ୍ଦେହ କରାଯାଉଛି । ଖାସ ଏଥିପାଇଁ ସିବିଆଇ ଟାର୍ଗେଟରେ ରହିଛନ୍ତି ପୁଲିସ କମିଶନର ରାଜୀବ କୁମାର ।