ଭୁବନେଶ୍ୱର, (ଏଟିଆରବ୍ୟୁରୋ): ଖୋର୍ଦ୍ଧା କାଇପଦର ଅଞ୍ଚଳରେ ଚାଲିଛି ବେଆଇନ୍ ଖଣି କାରବାର । ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆନ୍ଧ୍ର ପ୍ରଦେଶର ଦୁଇଟି ପ୍ରମୁଖ କମ୍ପାନି କ୍ୱାର୍ଟ୍ଜ ଓ କ୍ୱାରଟାଇଜ୍ ଭଳି ବହୁମୂଲ୍ୟ ଖଣିଜ ସମ୍ପଦ ଲୁଟି ଚାଲିଛି । ହେଲେ ନା’ ଜାଣୁଛି ପୋଲିସ ନା’ ପ୍ରଶାସନ । ସତରେ ଜାଣୁନାହାନ୍ତି କି’ ଜାଣି ନଜାଣିବାର ଅଭିନୟ କରୁଛନ୍ତି ତାହା କରିବା ମୁସ୍କିଲ । କିନ୍ତୁ ଏ କଥା ସତ ଯେ, ଖାସ ଏହି କାରଣରୁ ଆନ୍ଧ୍ରପ୍ରଦେଶର ଏକ୍ସେଲ ମିନେରାଲ ଓ ଏସଏସ ରିସୋର୍ସ ନାମକ ଦୁଇ କମ୍ପାନୀ ଉଠାଇ ଚାଲିଛନ୍ତି ଭରା ଫାଇଦା ।
ରାଜ୍ୟ ସରକାରଙ୍କୁ ଠକି ଏହି ଦୁଇ କମ୍ପାନୀ ମାଲେମାଲ ହେଉଥିବା ବେଳେ ସରକାର ହରାଉଛନ୍ତି ରାଜସ୍ୱ । ସବୁଠୁ ବଡ଼ କଥା ହେଲା ଦିନେ କି’ ଦୁଇଦିନ ନୁହେଁ ଗଲା ୫ବର୍ଷ ହେବ କମ୍ପାନୀ ଦ୍ୱୟ ଏଭଳି ବେଆଇନ କାରବାର କରୁଥିବା ଅଭିଯୋଗ ହୋଇଛି । ଆମ ଅନୁସନ୍ଧାନ ରିପୋର୍ଟ କହୁଛି ଆନ୍ଧ୍ରପ୍ରଦେଶର ଏହି ଦୁଇ କମ୍ପାନୀ ରାଜ୍ୟର ୩ଟି ପ୍ଲାଣ୍ଟକୁ କ୍ୱାର୍ଟ୍ଜ ଓ କ୍ୱାରଟାଇଜ୍ ମାଲ ଯୋଗାଉଛି ।
ବିଶେଷ କରି ଚୌଦ୍ୱାର ଅଞ୍ଚଳରେ ଥିବା ଏକ ଫେରୋ ପ୍ଲାଣ୍ଟ ଓ ଅନୁଗୁଳର ଖରଗପ୍ରସାଦ ଅଞ୍ଚଳରେ ଥିବା ପ୍ଲାଣ୍ଟକୁ ଟ୍ରକ ଟ୍ରକ ମାଲ ପଠାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବହୁମୂଲ୍ୟ ସାମଗ୍ରୀ ଆନ୍ଧ୍ରରୁ ଆସୁଥିବା କମ୍ପାନୀ କହୁଥିବା ବେଳେ ବାସ୍ତବ କଥା କିନ୍ତୁ ପୂରା ଭିନ୍ନ । ରାତି ଅଧିଆ ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଏସବୁ ମାଲ ଚାଲାଣ ହୋଇ ପ୍ଲାଣ୍ଟକୁ ଆସୁଥିବା ଜଣାପଡିଛି । ଯାହାକୁ ନେଇ ଏବେ ସନ୍ଦେହ ଉପୁଜିଛି ।
ଅଭିଯୋଗ ହୋଇଛି ପ୍ଲାଣ୍ଟ ଓ କମ୍ପାନୀର ମିଲିଭଗତରେ ଏଭଳି ଲୁଟପାଟ ଚାଲିଛି । ଏବେ ଆମର ପ୍ରଶ୍ନ ଯଦି ଆନ୍ଧ୍ରର ଦୁଇ କମ୍ପାନୀ ଏସବୁ ମାଲ ପ୍ରକୃତରେ ଆନ୍ଧ୍ରରୁ ଓଡିଶାକୁ ଚାଲାଣ କରୁଛନ୍ତି ତେବେ ଟ୍ରକର ପରମିଟ ଦେଖାଇ ପାରିବେ କି? ଟୋଲ ଗେଟ ରସିଦ ମିଳିବ କି? କହିବା ବାହୁଲ୍ୟ ହେବ ଯେ, ଏହାର ଜବାବ ରଖିବାରେ ନିହାତି ଫେଲ ମାରିବେ ଉଭୟ କମ୍ପାନୀ । ଆମ ଅନୁସନ୍ଧାନରୁ ଏ କଥା ସ୍ପଷ୍ଟ ହୋଇଛି ଯେଉଁ ଟ୍ରକରେ ଏହି କାରବାର ଚାଲିଛି ତାହା କେବେ ବି ଓଡିଶା ବର୍ଡର ଡେଇନାହିଁ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ପରିମିଟ ଲାଇସେନ୍ସରେ ବି ହେରାଫେରି କରାଯାଇଛି । ଆଶା କରିବୁ ଏହି ରିପୋର୍ଟ ପରେ ପ୍ରଶାସନର ନିଦ ଭାଙ୍ଗିବ । ବେଆଇନ ଭାବେ ଚାଲିଥିବା ଖଣି ଉପରେ ଚଢ଼ାଉ କରି ଚାଲାଣ ହେଉଥିବା ବହୁମୂଲ୍ୟ ସାମଗ୍ରୀକୁ ଜବତ କରିବ ।