ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଚଳିତ ମାସ ଶେଷ ସପ୍ତାହରେ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କେତେ ତାରିଖରେ ଏବଂ କେଉଁ ଜାଗାରେ ଏହି ସଭା ହେବ ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ କୋରାପୁଟରେ ସଭା ହେବ ବୋଲି ଅନୁମାନ କରାଯାଇଛି । ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ନିର୍ବାଚନ ପୂର୍ବରୁ ହେବିୱେଟ ନେତାଙ୍କ ଗୁରୁମନ୍ତ୍ର ଆଗାମୀ ଦିନରେ କାମରେ ଆସିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
ରାହୁଲଙ୍କ ଏହି ଗସ୍ତକୁ ମିଶାଇ ମାସକ ମଧ୍ୟରେ ତୃତୀୟ ଥର । ରାହୁଲ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଗତ ଜାନୁଆରୀ ୨୫ ତାରିଖରେ ତମାଣ୍ଡୋଠାରେ ବିଶାଳ ସମାବେଶ କରିଥିଲେ । ଏବଂ ପରେ ଫେବୃଆରୀ ୬ ତାରିଖରେ ଭବାନୀପାଟଣା ଏବଂ ରାଉରକେଲାରେ ଦୁଇଟି ସ୍ଥ୍ାନରେ ସଭା କରି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ତେବେ ଏହି ଗସ୍ତଟି କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ବଡ କଥା । କାରଣ ରାହୁଲଙ୍କ ସହିତ ତାଙ୍କ ବଡ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଆସିବାର ସମ୍ଭାବନା ରହିଛି । ପୂର୍ବରୁ ପ୍ରିୟଙ୍କା ଆସି କୋରାପୁଟରେ ସଭା କରିବେ ବୋଲି କଂଗ୍ରେସ ପ୍ରଭାରୀ ଜିଜେନ୍ଦ୍ର ସୂଚନା ଦେଇଥିଲେ । ଏଣୁ ଭାଇ ଭଉଣୀ ଉଭୟ ସାଙ୍ଗ ହୋଇ ଆସିବେ ବୋଲି କଂଗ୍ରେସ ପକ୍ଷରୁ ଆଶା କରାଯାଇଛି ।
ସେପଟେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଆସିଥିବା ଦୁଇଟି ଗସ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଉଭୟଙ୍କ ମଧ୍ୟରେ ସଲାସୁତରା ଚାଲିଛି । ଏବଂ ନବୀନଙ୍କ ରିମୋଟ ମୋଦୀଙ୍କ ହାତରେ । ସେ ଯେମିତି ନଚେଇବେ ନବୀନ ସେମିତି କରିବେ ବୋଲି କଟାକ୍ଷ କରିଥିଲେ ରାହୁଲ । ତେବେ ଏହା ବ୍ୟତିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ ରାହୁଲ । ଏଣୁ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିବ । ଏଥରକ ରାହୁଲ କଣ କହୁଛନ୍ତି ,କାହାକୁ ଟାର୍ଗେଟ କରୁଛନ୍ତି ଏବଂ କଣ ଆଭିମୁଖ୍ୟ ତାହା ଉପରେ ସମସ୍ତଙ୍କ ନଜର ରହିଛି ।