ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆରମ୍ଭ ହୋଇଯାଇଛି ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ କୁମ୍ଭମେଳା । ମୁଖ୍ୟତଃ ଯାତ୍ରା ସହାସମର ପାଇଁ ବେଶ ଚର୍ଚ୍ଚିତ ଏହି ଖଣ୍ଡଗିରି କୁମ୍ଭମେଳା । ସବୁ ବର୍ଷ ଏଠାରେ ୧୦ରୁ ୧୨ଟି ପାର୍ଟି ନିଜର ଜଲୱା ଦେଖାଇଥାନ୍ତି । ଏଣୁ ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇ ଯାଇଛି କୁମ୍ଭମେଳାର ଯାତ୍ରା ମହାସମର । ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ତିନୋଟି ପାର୍ଟି ମଇଦାନୁ ଓହ୍ଲାଇଥିଲେ । ଏବଂ ଶୁକ୍ରବାରଠାରୁ ଶୀବାନୀ ଗଣନାଟ୍ୟ ଯୋଗ ଦେଇଛି । ଯାହାଦ୍ୱାରା ଦର୍ଶକଙ୍କ ଭିଡ ଜମିବାରେ ଲାଗିଛି । କାରଣ ସବୁ ପାର୍ଟିଠାରୁ ଶୀବନୀ ଗଣନାଟ୍ୟ ପାଇଁ ଦର୍ଶକଙ୍କ ଦୁର୍ବଳତା ଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ୧୦ଟି ପାର୍ଟି ଯୋଗ ଦେବେ । ୭ଟି ଯାତ୍ରା ପେଣ୍ଡାଲରୁ ୪ଟି ସ୍ଥାନରେ ଆରମ୍ଭ ହୋଇଯାଇଛି । ସନାତନ ସେବା ସମିତି ମଞ୍ଚରେ ଧଉଳି ଗଣନାଟ୍ୟ ଯାତ୍ରା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରୁଛି। ଚଳିତ ବର୍ଷର ସୁପରହିଟ୍ ବହି ‘କହ ଗୌର ଦାସ କାହାର ଦୋଷ’ ଏବଂ ‘କିଛି ଲୁହ ପିଇ ଯାଏ ଓଠ’କୁ ନେଇ ଧଉଳି ଯାତ୍ରା ମଞ୍ଚକୁ ଦୁଲୁକାଉଛି। ସମ୍ପୂର୍ଣ୍ଣ ପାରିବାରିକ ବିଷୟ ବସ୍ତୁ ଉପରେ ଏହି ଦୁଇଟି ଯାତ୍ରା ଆଧାରିତ।ମୁଖ୍ୟ କଳାକାର ଗୌର ଦାସ, ସୁନା, ନମିତା, ମହେନ୍ଦ୍ର ଦାସ, ସାନମଣି, ସଞ୍ଜୁ ଏବଂ ନରୀ ପଣ୍ଡାଙ୍କୁ ନେଇ ଧଉଳି ସମୃଦ୍ଧ ହୋଇଛି।
ସେପଟେ ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ମଞ୍ଚକୁ ଦୁଲୁକାଉଛି ଗୌରୀ ଗଣନାଟ୍ୟ। ୧୪ରୁ ୧୮ ତିରଖ ଯାଏଁ ଗୌରୀ ଗଣନାଟ୍ୟ ‘ଗୌରୀ ନାନିର ନୂଆ ଠିକଣା’ ଓ ‘ବ୍ରହ୍ମାସ୍ତ୍ର’ ନାଟକ ପରିବେଶଣ ହୋଇଛି । ଏହି ପାର୍ଟିରେ କୁନା,ରଞ୍ଜି,ରୀନା ପଣ୍ଡା ଏବଂ ପ୍ରିୟଙ୍କ ଭଳି ନାମୀ କଳାକାର ଅଛନ୍ତି । ସ୍ୱର୍ଣ୍ଣ ମହଲ ମଧ୍ୟ ନିଜର ଦବଦବା ଜାରି ରଖିଛି । କାରଣ କଳିଙ୍ଗ ଗଣନାଟ୍ୟର ଚର୍ଚ୍ଚିତ ହିରୋ ପ୍ରତାପ ରାଉତ ଏହି ପାର୍ଟିରେ ଅଛନ୍ତି । ସେ ଜଣେ ପାର୍ଥେଟିକ କଳାକାର ଭାବରେ ବେଶ ଜଣାଶୁଣା । ସେପଟେ ବାରଭୂଜା ପେଣ୍ଡାଲରେ ରାଜ କରୁଛି ଶୀବାନୀ ଗଣନାଟ୍ୟ । ଶୀବାନୀ ଗଣନାଟ୍ୟ ସବୁବେଳେ ଲୋକଙ୍କ ପ୍ରିୟ ହୋଇଥାଏ । ଏହି ପାର୍ଟିରେ ଟିକି,କାହ୍ନା ଏବଂ ଯାତ୍ରା ଜଗତର ଜଣେ ଚିହ୍ନା କମେଡି ମୁହଁ ଭୀକାରୀ ଅଭିନୟ କରୁଛନ୍ତି । ଗତ ବର୍ଷ ରୂପ ରାଇଜର ରାଜ କୁମାରୀ ନାଟକ ବେଶ ହିଟ ହୋଇଥିଲା । ଏବଂ ଦର୍ଶକମାନେ ଏହାକୁ ବେଶ ପ୍ରଂଶସା ମଧ୍ୟ କରିଥିଲେ ।