ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ମାର୍ଚ୍ଚ ୨ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲ ଆସନ୍ତା ୨୭ ତାରିଖରେ ଆସିବେ ବୋଲି ପୂର୍ବରୁ ସୂଚନା ଦେଇଥିଲା କଂଗ୍ରେସ । କିନ୍ତୁ ପୁଣିଥରେ ରାହୁଲଙ୍କ ସହ କଥା ହେବା ପରେ ୨ ତାରିଖକୁ ଘୁଞ୍ଚିଥିବା ଶୁଣିସବାକୁ ମିଳିଛି । ସେହି ଦିନ ସେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଦିନିକିଆ ଗସ୍ତ କରିବାର ସମ୍ଭାବନା ରହିଛି । ଅବଶ୍ୟ ତାଙ୍କ ଗସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ । ତେବେ ରାଜ୍ୟରେ ୨ଟି ସଭା ଆୟୋଜନ କରିବା ବଦଳରେ ଗୋଟିଏ ସଭାରେ ଯୋଗ ଦେଇପାରିବେ ବୋଲି ରାହୁଲ ତାଙ୍କୁ କହିଛନ୍ତି । ତେବେ ସଭା କେଉଁଠି କରାଯିବ ତାହା ମଧ୍ୟ ନିର୍ଦିଷ୍ଟ ହୋଇନାହିଁ । ଏ ନେଇ ଆମେ ଏଆଇସିସି ସହିତ ଆଲୋଚନା କରି ଖୁବଶୀଘ୍ର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ରାହୁଲ ଆସିବା ପରେ ନିର୍ବାଚନ ପାଇଁ ମନୋବଳ ବଢ଼ି ଯାଉଥିବା ପ୍ରକାଶ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲ ଚତୁର୍ଥ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ଏଇ ଥର ରାହୁଲ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିବ । କାରଣ ପୂର୍ବରୁ ତିନିଥର ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ଦୁଇ ସରକାରଙ୍କ ମଧ୍ୟରେ ସଲାସୁତରା ଚାଲିଛି । ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ ବୋଲି ସମାଲୋଚନା କରିଥିଲେ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା ।
ନିର୍ବାଚନ ପାଖେଇ ଆସୁଥିବାରୁ ମାଳ ମାଳ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ସମସ୍ତଙ୍କ ଫୋକସରେ ରହିଛି ଓଡିଶା । ଏଣୁ ଉଭୟ କଂଗ୍ରେସ ଏବଂ ବିଜେପିର ତୁଙ୍ଗ ନେତାମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ଯେଉଁ ନେତା ମାନଙ୍କ ପାଦ ଥରେ ମଧ୍ୟ ଓଡିଶାରେ ପଡୁ ନଥିଲା ସେମାନଙ୍କ ବାରମ୍ବାର ଓଡିଶା ଗସ୍ତକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।