ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କୁହାଯାଏ ବଡବଡ଼ିଆ ମାନେ ତଳିଆ କର୍ମଚାରୀଙ୍କୁ ଆଦୌ ପଚାରନ୍ତି ନାହିଁ । ସବୁକାମ ତଳିଆ କର୍ମଚାରୀ କରନ୍ତି ହେଲେ ଅସଲ ବେଳକୁ ବାହାବାଃ ନିଅନ୍ତି ବରିଷ୍ଠ ଅଧିକାରୀ । ପ୍ରତ୍ୟେକ କ୍ଷେତ୍ରରେ ଉଠୁଥିବା ଏଭଳି ଅଭିଯୋଗକୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି । ଥରେ କି’ ଦୁଇଥର ନୁହେଁ ବରଂ ଦାୟିତ୍ୱ ନେବା ପରଠୁ ସେ ତଳିଆ କର୍ମଚାରୀଙ୍କୁ ଯେଭଳି ଉତ୍ସାହିତ କରି ଚାଲିଛନ୍ତି ବାସ୍ତବରେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଖାସ କରି କମିଶନରଙ୍କ ଏଭଳି ପ୍ରୟାସକୁ ଖୋଦ ତଳିଆ କର୍ମଚାରୀମାନେ ବେଶ ପ୍ରଶଂସା କରିବା ସହ ସାହାବ୍ ହେବ ତ’ ଏମିତି କହି ଗର୍ବ ଅନୁଭବ କରୁଛନ୍ତି । ଘଟଣା କିଛି ଏହିପରି….. ୨୦୦୮ରୁ ଟ୍ୱିନସିଟିରେ ଲାଗୁହେଲା କମିଶନରେଟ ବ୍ୟବସ୍ଥା । ଏହାପରେ ଲୋକଙ୍କ ସୁରକ୍ଷା ନେଇ ପୁଲିସର ଦାୟିତ୍ୱ ବି ବଢ଼ିଗଲା । ହରଦମ ଘଟଣା ଓ ଦୁର୍ଘଟଣାକୁ ନେଇ ବ୍ୟସ୍ତ ରହୁଥିବା ପୁଲିସ କିନ୍ତୁ ଲୋକଙ୍କ ଭାବନାକୁ ଏଯାବତ ବଦଳାଇ ପାରିଲା ନାହିଁ । ତଥାପି ଖରା ହେଉ ଅବା ବର୍ଷା କି’ ଶୀତ ହରଦମ ତୟାର ରହିଛି କମିଶନରେଟ ପୁଲିସ ।
ଏସବୁ ଭିତରେ ବି ଅନେକ ପୁଲିସ କର୍ମଚାରୀ ଲୋକଙ୍କ ଲାଗି ଏମିତି କିଛି କାମ କରିଛନ୍ତି ଯାହାକୁ ଯେତେ ବି ପ୍ରଶଂସା କଲେ କମ ହେବ । ଖଣ୍ଡଗିରି ପାଟ୍ରୋଲିଂ ପୁଲିସର ଏଟିଏମ ଲୁଟକୁ ବିଫଳ କରିବା ହେଉ ଅବା ଆଖିକୁ ଠିକ ସେ ଦେଖାଯାଉନଥିବା ବୃଦ୍ଧଙ୍କୁ ଟ୍ରାଫିକ୍ ପୁଲିସ ହାତ ଧରି ରାସ୍ତା ପାର କରାଇବା ଘଟଣା, ସବୁଥିରେ ପୁଲିସ ଭିତରେ ଥିବା ଆଉ ଏକ ମଣିଷପଣିଆ ସାମ୍ନାକୁ ଆସିଛି । ଯାହାକୁ ବଞ୍ଚାଇ ରଖିବାକୁ ଆଉ ଟିକେ ସହଯୋଗ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି । କିଛି ଫରକ ନଦେଖି ସେହି କର୍ମଚାରୀଙ୍କୁ ଡାକି ପୁରଷ୍କୃତ କରିଛନ୍ତି । ଯାହା ପରୋକ୍ଷରେ ସେମାନଙ୍କୁ ଆଗକୁ ଯିବାକୁ ବାଟ ଦେଖାଇଛି ।
କେବଳ ଏତିକି ନୁହେଁ ଗଲାଦୁଇ ଦିନ ତଳେ ଟ୍ରାଫିକ ଡ୍ୟୁଟି କରୁଥିବା କନଷ୍ଟେବଳ ଶରତ ବିଶ୍ୱାଳଙ୍କୁ ମଧ୍ୟ ଅନୁରୂପ ଢ଼ଙ୍ଗରେ ଆଗକୁ ଯିବାକୁ ରାସ୍ତା ଦେଖାଇଛନ୍ତି ପୁଲିସ କମିଶନର । ଚ୍ୟାମ୍ବରକୁ ଡାକି ତାଙ୍କୁ ମଧ୍ୟ ପୁରଷ୍କୃତ କରିଛନ୍ତି । ଶରତଙ୍କ ଦୁଃସାହାସିକ ପଦକ୍ଷେପ ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ କେତେକ ସ୍କୁଲ ଛାତ୍ରଛାତ୍ରୀ । ଏଭଳି ଏକ ଦୁର୍ଘଟଣାରୁ ଯେମିତି ପିଲାଙ୍କୁ ଶରତ ବଞ୍ଚାଇଥିଲେ ତାହା ଉପସ୍ଥିତ ଲୋକଙ୍କ ଆଖିରୁ ଯେମିତି ଜୁଳୁଜୁଳିଆ ପୋକ ବାହାର କରିଦେଇଥିଲା । ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ତୁରନ୍ତ ଶରତଙ୍କୁ ଡାକି ତାଙ୍କର ଏଭଳି କାର୍ଯ୍ୟପାଇଁ ଧନ୍ୟବାଦ ଦେଇଛନ୍ତି ପୁଲିସ କମିଶନର ।
ତେବେ ଏନେଇ ଆମେ କେତେକ ପୁଲିସ କର୍ମଚାରୀଙ୍କ ମତାମତ ଲୋଡିଥିଲୁ । ସମସ୍ତଙ୍କର ସେହି ଗୋଟିଏ କଥା ଯେତେବେଳେ ନିଜ କାମ ପାଇଁ ଖୋଦ୍ ବରିଷ୍ଠ ଅଧିକାରୀମାନେ ଏଭଳି ପ୍ରଂଶସା କରିବେ ସେତେବେଳେ ଆଉ କିଛି ଅଧିକ କରିବାକୁ ଇଚ୍ଛା ହେବ । ଅନ୍ୟପଟେ ପୁଲିସ କମିଶନରଙ୍କ ଏଭଳି ପ୍ରୟାସ ମଧ୍ୟ ବହୁ ଢ଼ିଲା ପୁଲିସ କର୍ମଚାରୀଙ୍କୁ ବି ଜାଗ୍ରତ କରିବ । ବ୍ୟୁରୋ ରିପୋର୍ଟ….ଏଟିଆର ନ୍ୟୁଜ୍