ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ‘ସିଓଲ ଶାନ୍ତି’ ପୁରଷ୍କାର । ବିଶ୍ୱଶାନ୍ତିରେ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ହେଲେ ମୋଦି। ବିଶ୍ୱର ୧୪ତମ ବ୍ୟକ୍ତି ଭାବେ ମୋଦି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ । ଏଥିସହିତ ମୋଦି ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ୍ ଏବଂ ଜର୍ମାନ୍ ଚାନ୍ସେଲର୍ ଆଞ୍ଜେଲା ମର୍କେଲଙ୍କ ସହିତ ଏହି ସମ୍ମାନର ତାଲିକାରେ ସାମିଲ ହୋଇସାରିଛନ୍ତି ।
ଏହି ପୁରସ୍କାରକୁ ଭାରତୀୟଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି ମୋଦି ଦକ୍ଷିଣ କୋରିଆରେ ତାଙ୍କ ଉଦବୋଧନରେ କହିଛନ୍ତି। ଗତ ପାଞ୍ଚ ବର୍ଷରେ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କୁ କୁଶଳୀ କରିବା ପାଇଁ ତାଲିମ ଦିଆଯିବାରେ ଦେଶ ଯେଉଁ ସଫଳତା ହାସଲ କରିଛି, ତାହାହିଁ ଏହି ସଫଳତା ପଛର କାରଣ। ମୋଦି ଏହି ଅବସରରେ ଆତଙ୍କବାଦ ଏବଂ ଉଗ୍ରବାଦ ବାବଦରେ କହିଥିଲେ, ଏହା ବର୍ତ୍ତମାନ ବିଶ୍ୱସ୍ତରରେ ପହଞ୍ଚିଛି ଏବଂ ବିଶ୍ୱଶାନ୍ତି ପାଇଁ ଏହା ବିପଦଜ୍ଜନକ ।
୨ ହଜାର ଡଲାର ଅର୍ଥରାଶିକୁ ସେ ନମାମି ଗଙ୍ଗେକୁ ଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆରେ ଦ୍ୱିତୀୟ ଦିନରେ ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସେ ଦକ୍ଷିଣ କୋରିଆ ରାଷ୍ଟପ୍ରତି ମୁନ ଜେ ଇନଙ୍କୁ ସାକ୍ଷାତ କରିଥିଲେ। ପୁଲୱାମା ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତକୁ ଦକ୍ଷିଣ କୋରିଆଠୁ ସମର୍ଥନ ମିଳିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଏହି ଘଟଣାକୁ ନିନ୍ଦା କରିଛନ୍ତି।