ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମେଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । ତେବେ ଏହି ପ୍ରଶ୍ନପତ୍ର ଲିକକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଘର ସମୁଖରେ ବିକ୍ଷୋଭ କରିଥିଲେ । ଏବଂ ପରେ କର୍ମୀମାନେ ଜୋର ଜବରଦସ୍ତ ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବା ପାଇଁ ଚେଷ୍ଠା କରିଥିଲେ । ମନ୍ତ୍ରୀଙ୍କ ବାସ ଭବନ ସମୁଖରେ ଏଭଳି ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ତେବେ କର୍ମୀମାନେ ଧସେଇ ପଶୁଥିବା ବେଳେ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଅଟକ ରଖିଛି ପୋଲିସ ।
ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବିଭିପିର ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, ଗୋଟିଏ ଭୁଲ ଥରେ ହେଲେ କ୍ଷମଣୀୟ କିନ୍ତୁ ସେହି ଭୁଲ ବାରମ୍ବାର ହେବା ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବା ଅକ୍ଷମଣୀୟ। କେବଳ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ନୁହେଁ, ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର, ପୂର୍ବ ବର୍ଷ ବୋର୍ଡ ପ୍ରଶ୍ନପତ୍ର ଲିକ ହୋଇଥିଲା। ସରକାର ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାରେ ଦୋଷିଙ୍କୁ ତୁରନ୍ତ ଗିରଫ ନକରାଗଲେ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
ଚଳିତ ବର୍ଷ ମେଟ୍ରିକ ପରୀକ୍ଷାକୁ କଡାକଡି ଭାବରେ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ପ୍ରଶ୍ନପତ୍ର ପ୍ରଶ୍ନପତ୍ର ଭାଇରାଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା । ଗତବର୍ଷ ଏଭଳି ଭାବରେ ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ଭୁଲର ହେବ ନାହିଁ ବୋଲି ସୂଚନା ମିଳିଥିଲେ ମଧ୍ୟ ପରୀକ୍ଷା ଆରମ୍ଭରୁ ଏହାର ପୁନରାବୃତି ହୋଇଛି । ଏଣୁ ଏଥିରେ ଶିକ୍ଷା ବିଭାଗର ବଡ ବଡ କର୍ମଚାରୀଙ୍କ ହାତ ଥିବା ଜଣାପଡୁଛିବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।