ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଡିଜିପି ରାଜେନ୍ଦ୍ର ପ୍ରଶାଦ ଶର୍ମାଙ୍କ ଘଟଣାକୁ ନେଇ ପୁଣି ଆଉ ଏକ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ତାଙ୍କୁ ବଦନାମ କରିବା ଲାଗି ଏବେ ଅଣ୍ଟା ଭିଡା ଯାଇନି ବରଂ ବହୁ ପୂର୍ବରୁ ମଧ୍ୟ ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଇଛି । ଆମେ କହୁଛୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହେବା ଘଟଣା କଥା । ଠିକ୍ ସେହି ସମୟରେ ପୁଲିସ କମିଶନର ଦାୟିତ୍ୱରେ ଥିଲେ ଶ୍ରୀ ଶର୍ମା । କେଶରୀ ହଲ ନିକଟରେ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ସବୁ ଦୋଷ ଲଦି ଦିଆଯାଇଥିଲା ତାଙ୍କ ମୁଣ୍ଡରେ । ଏହାପଛର ଉଦ୍ଦେଶ୍ୟ ଥିଲା ଶୀ ଶର୍ମାଙ୍କ କ୍ୟାରିୟରରେ କଳାଦାଗ ଲଗାଇବାର । କାରଣ ଡିଜିପି ଦୌଡରେ ଶ୍ରୀ ଶର୍ମା ଥିଲେ ବହୁତ ଆଗରେ । ଖାସ ଏଥିପାଇଁ ତ’ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଯାହା ସଫଳ ହୋଇନଥିଲା । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିଲା ଠିକ୍ ସେହି ସମୟରେ ତକ୍ରାଳୀନ ପୁଲିସ ଡିଜି ପୁରୀର ଏକ ହୋଟେଲରେ ଅଏସ କରୁଥିଲେ । ଯାହାର ପର୍ଦ୍ଦଫାସ କରିଥିଲା ଏକ ଗଣମାଧ୍ୟମ । ଏବେ ପୁଣି ସମାନ ଘଟଣା । ଯେମିତି ବି ହେଉ ବଦନାମ ହୁଅନ୍ତୁ ଶ୍ରୀ ଶର୍ମା । ଖାସ ଏଥିପାଇଁ ତାଙ୍କ ପଛରେ ଏବେ ଚକ୍ରବ୍ୟୁହ ରଚାଯାଇଛି । ଶୁଣିବାକୁ ମିଳୁଛି ଡିଜିପି ଗାଦି ଲାଗି ଏସବୁ ଷଡଯନ୍ତ୍ର କରାଯାଇଛି ।
ବେଶ ଲୋ ପ୍ରୋଫାଇଲ ମେଣ୍ଟେନ କରୁଥିବା ଓ ଶାନ୍ତ ସ୍ୱାଭାବର ଅଫିସର ହେଉଛନ୍ତି ଡିଜି ରାଜେନ୍ଦ୍ର ପ୍ରଶାଦ ଶର୍ମା । ପୁଲିସ କମିଶନରଠୁ ନେଇ ଡିଜି ହେବା ପର୍ଯ୍ୟନ୍ତ ସବୁବେଳେ ସେ ଲୋକଙ୍କ ନିକଟତର ହେବା ଲାଗି ପ୍ରୟାସ କରିଛନ୍ତି । କେବଳ ଏତିକି ନୁହେଁ ପ୍ରଲୋଭନଠୁ ବହୁ ଦୂରରେ ଏବଂ ଅନ୍ୟାୟକୁ ଆଦୌ ପ୍ରଶୟ ଦେଉନଥିବା ଯୋଗୁଁ ସେହି ଅଫିସର ଏବେ ଟାର୍ଗେଟରେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଡିଜିପିଙ୍କ ଲାଗି ନିଜ ଘର ଢ଼ିଙ୍କି କୁମ୍ଭୀର ସାଜିଛି । ନିଜର ସ୍ୱାର୍ଥ ହାସଲ ନହେବା କାରଣରୁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଏସବୁ ଖେଳ ଖେଳିଛନ୍ତି । କେତେକ ଡିଜିଟାଲ ମିଡିଆ କର୍ମୀଙ୍କୁ ଧରି ଯେନତେନ ବଦନାମ କରିବାକୁ ବଳ କଷିଛନ୍ତି । କେତେବେଳେ ରାଜନୀତିର ରଂଗ ଦେଇ ତ’ ପୁଣି କେତେବେଳେ ଡାଟା ଲିକ କରୁଥିବାର ଛୁଙ୍କ ମାରି ନିଜର ଦୋଷ ଦୂର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଏ କଥା ଆମେ କହୁନାହୁଁ ବରଂ ପୁଲିସ ମହଲରେ କେତେକ ଅଫିସର ଏଭଳି ଟୁପୁରୁଟାପୁର ହେଉଛନ୍ତି । ଯଦି ଏହା ସତ ହୋଇଥାଏ ତେବେ ସାଙ୍ଘାତିକ । ସେପଟେ ପୂରା ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । କେଉଁ କୁଚକ୍ରୀ ଗୋଷ୍ଠୀ ଏଭଳି ଷଡଯନ୍ତ୍ର ରଚିଛନ୍ତି ତାହା ଉପରେ ନଜର ରଖିଛି ଗୁଇନ୍ଦା ।
ସୂଚନାଯୋଗ୍ୟ, କୁହାଯାଉଛି ପୁଲିସ ବଦଳି ପ୍ରକ୍ରିୟା ବେଳେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ତାଙ୍କର କେତେକ ଖାସ ଅଫିସରଙ୍କୁ ନିଜ ପସନ୍ଦ ମୁତାବକ ଯାଗାକୁ ପଠାଇବାକୁ ଚାହିଁଥିଲେ । ଯାହାକୁ ଭଣ୍ଡୁର କରିଥିଲେ ପୁଲିସ ଡିଜି ଡା ରାଜେନ୍ଦ୍ର ପ୍ରଶାଦ ଶର୍ମା । କିଛି ନଶୁଣି ଯାହା ଠିକ୍ ତାହା ହିଁ କରିଥିଲେ । ଯାହା ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦେହରେ ଯାଇନଥିଲା । କେବଳ ଏତିକି ନୁହେଁ ନିଜର ପତିଆରା ଦେଖାଇବାକୁ ଯାଇ ସେ ନେତାମନ୍ତ୍ରୀଙ୍କୁ ଧରି ଚାରିଆଡୁ ଡିଜିପିଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ । ହେଲେ ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଡିଜିପି ପଡୁଥିବା ଚାପକୁ ବି ଆଦୌ ଖାତିର କରିନଥିଲେ । ସେପଟେ ଡିଜିପିଙ୍କ ଏଭଳି ସଚ୍ଚୋଟ ଭାବମୂର୍ତ୍ତି ଯୋଗୁଁ ନିଜର କ୍ଷମତା ଶୂନ୍ୟ ଓ ଗାଦି ଟଳମଳ ହେଉଥିବା ଅନୁଭବ କରିଥିଲେ ଏହି ଆଇପିଏସ ଅଫିସର । ବାସ ଏଠାରୁ ହିଁ ଆରମ୍ଭ ହୋଇଥିଲା ବଦନାମ କରିବାକୁ ଷଡଯନ୍ତ୍ର ।