ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତଣ୍ଟିଆ ମରା ଘଟଣାର ଏବେ ତଣ୍ଟି ଧରିବାକୁ ଯାଉଛି ଏନଆଇଏ । ଖୋଜିବ ମୂଳ ଚେର । ଭିଡିଓ ଭାଇରାଲ ହେଲା କେମିତି? କିଏ ଓ କାହିଁକି କଲା? କଣ ଏହା ପଛର ବାସ୍ତବତା? ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମରା ଘଟଣା, ଏବେ ବିଶ୍ୱ ଦରବାରରେ ଭାରତକୁ ବଦନାମ କରିଛି । ଏଭଳି ଏକ ସମ୍ବେଦନଶିଳ ଘଟଣାର ଏବେ ଖୋଳତାଡ ଆରମ୍ଭ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଏନଆଇଏ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଟିମରେ ରହିଛନ୍ତି ବଛାବଛା ସାଇବରସେଲ ଅଫିସର । ସେପଟେ ଏ ସମ୍ପର୍କରେ ହ୍ୱାଟ୍ସଆପକୁ ମଧ୍ୟ ଚିଠି କରାଯାଇଛି । ଏଣ୍ଡ ଟୁ ଏଣ୍ଡ ରିପୋର୍ଟ ତୁରନ୍ତ ଦେବାକୁ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡିଛି ।
କେବଳ ଏତିକି ନୁହେଁ ବିଭିନ୍ନ ଆଇପି ଆଡ୍ରେସକୁ ମଧ୍ୟ ଟ୍ରାକ କରାଯାଉଛି । ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ସୂଚନା ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଡିଓ ପାକିସ୍ତାନରେ ପହଞ୍ଚିବା ପଛରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ଚିଫ ଏଡିଟରଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଯଦି ଏହା ସତ ହୋଇଥାଏ ତେବେ ଆଗକୁ ତାଙ୍କ ଲାଗି ନିହାତି ବିପଦ ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସହିଦଙ୍କ ଶେଷକୃତ୍ୟ ବେଳେ ତାଙ୍କ ଦାଦାଙ୍କୁ ତଣ୍ଟିଆ ମାରିଥିଲେ ବିଧାୟକ । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା । ଯଦିଓ ଏବେ ଦାଦା ବୟାନ ବଦଳାଇ ଦେଇଛନ୍ତି କିନ୍ତୁ ବିଧାୟକ ତଣ୍ଟିଆ ମାରିବା ଘଟଣାର ଭିଡ଼ିଓ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି । ଆଉ ସେହି ଭିଡ଼ିଓ ଜରିଆରେ ପାକିସ୍ତାନ ଏବେ ଭାରତ ଇଜ୍ଜତର ଧଜିଆ ଉଡାଇବାରେ ଲାଗିଛି ।
ସିଧାସଳଖ ସହିଦଙ୍କୁ ଜନପ୍ରତିନିଧିମାନେ ଭାରତରେ ଆଦୌ ଇଜ୍ଜତ ଦିଅନ୍ତି ନାହିଁ ପ୍ରଚାର କରି ବଦନାମ କରୁଛି । ଏପରି ସ୍ଥିତିରେ ଯବାନଙ୍କ ଉପରେ ଏହାର ନକରାତ୍ମାକ ପ୍ରଭାବ ପଡୁଥିବା ବେଳେ ଭାରତ ବି ବେଜିତ ହେଉଛି । ସିଧା କହିବାକୁ ଗଲେ ଏସବୁ ପଛରେ ରହିଛି ଭାଇରାଲ ହୋଇଥିବା ଭିଡ଼ିଓ । କଟକରେ ଘଟିଥିବା ଏହି ଘଟଣା କେମିତି ପାକିସ୍ତାନକୁ ଗଲା ତାହା ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏସବୁ ପଛରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ଚିଫ୍ ଏଡିଟରଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତକୁ ବଦନାମ କରିବା ଲୋକକୁ ତୁରନ୍ତ ଠାବ କରିବା ଲାଗି ଏବେ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଖାସ ଏଥିପାଇଁ ତ’ ପୂରା ଘଟଣାର ଛାନଭିନ ଲାଗି ଏନଆଇଏକୁ ଦାୟିତ୍ୱ ଦିଆଯାଇଛି । ଖୁବ୍ ଶୀଘ୍ର ଏହି ଟିମ ଓଡିଶା ପହଞ୍ଚିବ । ଜାଣିବାକୁ ଚାହିଁବ କିଏ ସେହି ବ୍ୟକ୍ତି ଯିଏ ଦେଶରେ ରହି ଦେଶକୁ ବଦନାମ କରୁଛି । ତେବେ ଅପେକ୍ଷା କେବେ ଏନଆଇଏ ସେହି ଲୋକକୁ ଠାବ କରୁଛି ।