ବଲାଙ୍ଗୀର (ଏଟିଆର ବ୍ୟୁରୋ); ପୁଣି ଭାଇରାଲ ହେଲା ମେଟ୍ରିକ ପ୍ରଶ୍ନପତ୍ର । ସୋମବାର ଇଂରାଜୀ ପରୀକ୍ଷାର ସେଟ-ଏ ର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପରେ ଲିକ ହୋଇଛି ପ୍ରଶ୍ନପତ୍ର । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଏବେ ଏହି ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପୁଣିଥରେ ଗଣଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି ।
ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଥମେ ଜୟପୁର ଏବଂ ପରେ ବିଭିନ୍ନ ଜାଗାରେ ଏଭଳି ପ୍ରଶ୍ନପତ୍ର ଲିକ ହୋଇଥିଲା । ଯେଉଁ କାରଣରୁ ୭ ଜଣଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ପ୍ରଥମେ ୫ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରବିବାର ଅଶଉ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ପ୍ରଥମ ଭାଷା ଓଡ଼ିଆର ପାର୍ଟ-୧ ଅବଜେକ୍ଟିଭ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନୂଆପଡ଼ା ଜିଲ୍ଲାର ଦୁଇ ହାଇସ୍କୁଲ, ବନ୍ଧୁଗାଁ ହାଇସ୍କୁଲ, ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ୪ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ, ସଂପୃକ୍ତ ହଲ ଦାୟିତ୍ବରେ ୪ଜଣ ଇନ୍ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଥିଲା। ଗତକାଲି ଏଥିରେ ସଂପୃକ୍ତ ଅନ୍ୟ ଜଣେ ଶିକ୍ଷକଙ୍କ ସମେତ ପରୀକ୍ଷା କାର୍ଯ୍ୟରେ ଅବହେଳା ପାଇଁ ଜଗତସିଂହପୁରର ୨ଜଣଙ୍କୁ ନିଲମ୍ବନ କରାଯାଇଛି।
ଗତବର୍ଷ ଏଭଳି ବାରମ୍ବାର ପ୍ରଶ୍ନପତ୍ର ଭାଇରାଲକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏଣୁ ଚଳିତ ବର୍ଷ ପରୀକ୍ଷାକୁ କଡାକଡି କରାଯିବ ବୋଲି ଗଣଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ପରୀକ୍ଷା ଆରମ୍ଭରୁ ଏଭଳି ବେଙ୍ଗା ହେଲାଣି । ଦୁଇଟି ପରୀକ୍ଷା ନସରୁଣୁ ଦୁଇଟି ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଆଗାମୀ ଦିନରେ ଏହାକୁ ନେଇ ଗଣଶିକ୍ଷା ବିଭାଗ କଣ ପଦକ୍ଷେପ ନେଉଛନ୍ତି ତାକୁ ନେଇ ସମସ୍ତଙ୍କ ନଜର । କାରଣ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଏଭଳି ଅଘଟଣ ଅତି ଦୁର୍ଭାଗ୍ୟଜନକ ।