ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ୧୭ ଜଣ ଅନ୍ତେବାସୀ ଛାତ୍ର ଜିଲ୍ଲାପାଳଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିଜର ଦୁଃଖ ଜଣାଇଛନ୍ତି । ମୟୂରଭଞ୍ଜ ଜିଲ୍ଳା ଶ୍ୟାମାଖୁଣ୍ଟା କେନ୍ଦୁଆ ନୋଡାଲ ସ୍କୁଲରେ ରହୁଥିବା ଅନ୍ତେବାସୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାଡ ମାରୁଛନ୍ତି ଏବଂ ଠିକସେ ଖାଇବାକୁ ଦେଉ ନାହାଁନ୍ତି । ତେବେ ଦିନେ କି ଦୁଇ ଦିନ ନୁହେଁ ଏଭଳି ଦୀର୍ଘଦିନ ହେବ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରମାନେ ଶେଷରେ ସାହସ କରି ଜିଲ୍ଳାପାଳଙ୍କୁ ଭେଟିବା ସହିତ ନିଜର ଦୁଃଖ ଜଣାଇଛନ୍ତି । ଛାତ୍ରମାନଙ୍କ ଗୁହାରି ଶୁଣିବା ପରେ ସେମାନଙ୍କୁ ଉଚିତ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଜିଲ୍ଲାପାଳ ।
ଦୀର୍ଘଦିନ ହେବ ବିଦ୍ୟାଳୟରେ ଛାତ୍ରମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ନିର୍ଯ୍ୟାତନା ଦେଇ ଆସୁଥିଲେ । ମାତ୍ର ଛାତ୍ରମାନେ ଏହି ବାବଦରେ କାହାକୁ କିଛି କହୁନଥିଲେ । ଯଦିଓ କାହାକୁ ନିଜର ଦୁଃଖ ଜଣାଇଥିଲେ ତେବେ କୌଣସି ଫଳ ମିଳିନଥିଲା । ଏଣୁ ଏମାନେ ଶେଷରେ ବାଧ୍ୟ ହୋଇ ନିଜ ଦୁଃଖ ଜଣାଇବା ପାଇଁ ବାହାରି ଆସିଛନ୍ତି । ସକାଳୁ ଏମାନେ ପ୍ରାୟ ୧୬ କିମି ଚାଲି ଚାଲି ଆସିବା ବାରିପଦାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅପେକ୍ଷା କରିଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଏମାନେ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଥିଲେ । ପରେ ଏମାନଙ୍କୁ ପ୍ରତିଶ୍ରୃତି ଦେଇ ପଠାଇ ଦେଇଛନ୍ତି ଜିଲ୍ଲାପାଳ । ତେବେ ଦେଖାଯାଉ ଜିଲ୍ଲା ପ୍ରଶାସନ ଏହି ଛାତ୍ର ମାନଙ୍କୁ କଣ ନ୍ୟାୟ ଦେଉଛି ।
ପୂର୍ବରୁ ସେବାଶ୍ରମରେ ରହୁଥିବା ନାବାଳିକାମାନେ ମଧ୍ୟ ଏଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଖବର ପ୍ରସାରଣ କରାଯାଉଥିଲା । କେଉଁଠି ଅବହେଳା ପାଇଁ ଛାତ୍ରୀ ଗର୍ଭବତୀ ହୋଇଥିଲେ ତ ଆଉ କେଉଁଠି ନିର୍ଯ୍ୟାତନା ଭୋଗୁଥିଲେ ଛାତ୍ରୀ । ଏବେ ପୁଣି ଛାତ୍ରମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଲୋକଲୋଚନକୁ ଆସିଛି । ତେବେ ପୁଣିଥରେ ସେବାଶ୍ରମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେତେକ ଦୁର୍ନୀତି ଖୋର ଲୋକଙ୍କ ହାତରେ ଦାୟିତ୍ୱ ଦେଉଥିବାରୁ ଏତେ ସବୁ ଅବହେଳା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।