ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ । ପରିତ୍ୱକ୍ତ କୂଅରୁ ମିଳିଲା ଅଜଣା ଯୁବକଙ୍କ ମୃତ ଦେହ । ତେବେ ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟ ଆଇସି ଫ୍ୟାକ୍ଟ୍ରି ନିକଟରେ । ସ୍ଥାନୀୟ ଲୋକ ଶବକୁ ଦେଖିବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଶବକୁ ଉଦ୍ଧାର କରିବା ପରେ ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ମିଳିଥିବା ସୂଚନା ମୁତାକବ ରବିବାର ସକାଳୁ କୂଅରେ ଯୁବକଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଶବକୁ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ ଲୋକ । ଏହି ଶବଟି କାହାର ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଥିଲା । ପୋଲିସକୁ ଖବର ଦେବା ପରେ ପୋଲିସ ପହଁଞ୍ଚି ଶବକୁ ଉଦ୍ଧାର କରିଥିଲା । ମୃତ ଦେହକୁ ଦେଖିବା ପରେ ପ୍ରଥମେ ଏହି ଯୁବକ ଜଣକ କିଏ ବୋଲି ଚିହ୍ନିବା ପାଇଁ ଚେଷ୍ଠା କରିଥିଲେ ସ୍ଥାନୀୟ ଲୋକ । ତେବେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ଜାଣିବା ପରେ ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଶବ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ବିଭିନ୍ନ କଥା । କିଏ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ କେହି କେହି ହତ୍ୟା କରି କୂଅରେ ପକାଇ ଦେଇଥିବା କହୁଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡିଯିବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।