ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଚର୍ଚ୍ଚାରେ ମେଟ୍ରିକ ପରୀକ୍ଷା । ବାରମ୍ବାର ପ୍ରଶ୍ନପତ୍ର ଲିକକୁ ନେଇ ଚର୍ଚ୍ଚାରେ ରହିଛି ମେଟ୍ରିକ ପରୀକ୍ଷା । ଯାହାକୁ ନେଇ ଛାତ୍ର ଛାତ୍ରୀଏବଂ ଗଣଶିକ୍ଷା ବିଭାଗ ଚିନ୍ତା ଅଛନ୍ତି । ଏବେ ପୁଣି ଏକ ବିଭ୍ରାଟ ପାଇଁ ଗଣଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି । ଗଣିତ ପରୀକ୍ଷା ପରେ ୧୦୮ଟି ଓଏମଅର ସିଟ ଗାଏବ ହୋଇ ଯାଇଛି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଘେରକୁ ଟାଣି ହୋଇଛି ମେଟ୍ରିକ ପରୀକ୍ଷା । ମାଲକାନଗିରି ଜିଲ୍ଲାର ପଡିଆ ଏସଏସଜି ହାଇସ୍କୁଲରୁ ଓଏମଆର ସିଟ ଗାଏବ ହୋଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ଏହି ସ୍କୁଲରେ ୧୦୮ ଜଣ ଛାତ୍ର ଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ । ଏମାନେ ପରୀକ୍ଷା ଦେବା ପରେ ଏହି ସିଟ ଗୁଡିକ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ରଖାଯାଇଥିଲା । କିନ୍ତୁ ପରେ ଦେଖିବା ବେଳକୁ ଏହା ଗାଏବ ହୋଇଯାଇଥିଲା । ଫଳରେ ଏହି ଘଟଣାକୁ ନେଇ ଚିନ୍ତାରେ ପଡିଯାଇଥିଲେ ବିଦ୍ୟାଳୟ କତ୍ତୃପକ୍ଷ । ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଦ୍ୟାଳୟରେ ପହଁଞ୍ଚି ତନଘନା ଆରମ୍ଭ କରି ଦେଇଛି । ତେବେ କିଏ ଏବଂ କାହିଁକି ଏପରି କରିଛି ତାକୁ ନେଇ ଉଠିଛି ପ୍ରଶ୍ନ ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ସାହିତ୍ୟ ପରୀକ୍ଷା ଦିନରୁ ହିଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା । ଯାହାକୁ ନେଇ ୧୧ ଜଣଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ କରାଯାଇଛି । ସାହିତ୍ୟ ପରେ ସବୁ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ପୂର୍ବରୁ କେବେ ଏଭଳି ଓଏମଆର ସିଟ ଗାଏବ ହୋଇନଥିଲା । ଏଣୁ ଗଣଶିକ୍ଷା ବିଭାଗ ଏହି ଘଟଣାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।