ନାଗପୁର (ଏଟିଆର ବ୍ୟୁରୋ); ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ୨-୦ ଲକ୍ଷ୍ୟରେ ରହିବ ଭାରତ । ସେପଟେ ଘରୋଇ ମାଟିରେ ଭାରତକୁ ହରାଇ ୧-୧ରେ ରହିବା ପାଇଁ ଚେଷ୍ଟା କରିବ କଙ୍ଗାରୁ ବାହିନୀ । ପାଞ୍ଚ ମ୍ୟାଚ୍ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ମଙ୍ଗଳବାର ନାଗପୁରରେ ଖେଳାଯିବ। ବିଶ୍ବକପ୍ ପୂର୍ବର ଏହି ଶେଷ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆଉ ଏକ ଭଲ ପ୍ରଦର୍ଶନ ଦେଖାଇବା ଲକ୍ଷ୍ୟରେ ରହିଛି।
ବିଶ୍ବକପ୍ ପାଇଁ ଚୂଡାନ୍ତ ଭାରତୀୟ ଦଳକୁ ନେଇ ମନସ୍ଥିର କରିବା ଲାଗି ବିରାଟ କୋହଲିଙ୍କ ହାତରେ ଏବେ ମାତ୍ର ୪ଟି ଦିନିକିଆ ରହିଛି। ଶିଖର ଧାୱନ ପ୍ରଥମ ଦିନିକିଆରେ ସ୍ବର୍ଣ୍ଣିମ ଶୂନର ଶିକାର ହୋଇଥିଲେ ମଧ୍ୟ ଆଉ ଏକ ସୁଯୋଗ ପାଇବା ନିଶ୍ଚିତ। କିନ୍ତୁ ଲୋକେଶ ରାହୁଲଙ୍କୁ ତାଙ୍କ ବଦଳରେ ଖେଳାଗଲେ ସେ ନିଶ୍ଚିତ ସଦ୍ ବିନିଯୋଗ କରିବେ ବୋଲି ବିଶ୍ବାସ ରହିଛି। ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଅତୁଟ ରହିଛି। ରୋହିତ ତାଙ୍କ ଦିନରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାକୁ ଯଥେଷ୍ଟ ହୋଇପାରନ୍ତି।
ଦୁଇ ଶକ୍ତିଶାଳି ଦେଶ ମଧ୍ୟରେ କଡା ଟକ୍କର ମ୍ୟାଚ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ଏହି ସିରିଜ ଉପରେ । ଉଭୟ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ରହିଛନ୍ତି । ତେବେ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଭାରତୀୟ ବୋଲରମାନେ ମୁଖ୍ୟତଃ ମ୍ୟାକ୍ସୱେଲଙ୍କୁ ଟାର୍ଗେଟ କରିବେ । କାରଣ ଟି-୨୦ ସିରିଜ ଭାରତ ହାରିବା ପଛରେ ମ୍ୟାକ୍ସୱେଲଙ୍କ ବ୍ୟାଟିଂ କମାଲ ଜଡିତ ଥିଲା । ପ୍ରଥମ ଦିନିକିଆରେ ମଧ୍ୟ ସେ ଭଲ ଖେଳ ପ୍ରଦର୍ଶନ କରିଥିଲେ ।