ବାରିପଦା (ଏଟିଆର ବ୍ୟୁରୋ); ଆଦିବାସୀ ଇଲାକା ମୟୂରଭଞ୍ଜ ଜିଲ୍ଲାରେ ମୋରଡା ନିର୍ବାଚନ ମଣ୍ଡଳୀ ହେଉଛି ଏକମାତ ସାଧାରଣଲୋକଙ୍କ ପାଇଁ ଉଦିଷ୍ଟ ଆସନ । ଏଣୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ରହିଛି ସମସ୍ତଙ୍କ ନଜର । କିଏ ଏଠାରେ ପ୍ରାର୍ଥୀ ହେବ ଏବଂ ବିଜୟ ବାନା ଉଡାଇବ ତାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ଚର୍ଚ୍ଚା । ସବୁ ଦଳରେ ରହିଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । ଏଣୁ ନିର୍ବାଚନ ପୂର୍ବରୁ ଦଳୀୟ ଟିକେଟ ଆଶାରେ ପ୍ରାର୍ଥୀମାନେ ଗାଁକୁ ଯାଇ ଆରମ୍ଭ କରି ଦେଲେଣି ଜନ ସମ୍ପର୍କ । କିଏ ଯୁବ ଭୋଟରଙ୍କ ମନ ମୋହିବା ପାଇଁ ମଦ,ମାଂସ ଦେଲାଣି ତ ଆଉ କିଏ ଅସହାୟ ଜନତାକୁ ସହାୟ କରିବାର ପ୍ରତିଶ୍ରୃତି । ତେବେ ଏଭଳି ଭାରେ ଆରମ୍ଭ ହୋଇ ଯାଇଛି ମୋରଡା ରାଜନୀତି ।
ଏଠାରେ ସବୁ ଦଳରୁ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ଗଡ ମଧ୍ୟ କୁହାଯାଉଛି । ଏଣୁ ବିଜେଡି ଟିକେଟ ଆଶାରେ ଏଠାରେ ମାଳ ମାଳ ପ୍ରାର୍ଥୀ ରହିଛନ୍ତି । ବର୍ତ୍ତମାନର ବିଧାୟକ ପ୍ରବୀଣ ଭଞ୍ଜଦେଓ ଲଗାତାର ଦୁଇଥର ବିଜେଡି ପକ୍ଷରୁ ଜିତିଛନ୍ତି । ଏଣୁ ଚଳିତ ବର୍ଷ ସେ ପୁଣିଥରେ ଟିକେଟ ପାଇବା ପାଇଁ ଆଶା ବାନ୍ଧି ରହିଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଏଣୁ ଏଠାରେ ବିଜେଡି ପକ୍ଷରୁ ରହିଥିବା ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରବୀଣ ଯଦି ଏଠାରେ ଟିକେଟ ନପାଇବେ ତେବେ ତାଙ୍କ ପତ୍ନୀ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ସିଂହଦେଓ ଟିକେଟ ପାଇଁ ଲବି କରିବେ ବୋଲି ଚର୍ଚ୍ଚା ହେଉଛି । ରାଣୀଙ୍କୁ ଛାଡିଦେଲେ ଏଠାରେ ବିଜେଡି ପକ୍ଷରୁ ଟିକେଟ ରେସରେ ରହିଛନ୍ତି ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି,କୃଷ୍ଣ ଦାସ,ସମ୍ପା ମଜୁମଦାର ଏବଂ ଆଦିତ୍ୟ ପଣ୍ଡା ।
ବିଜେପି ପକ୍ଷରୁ ମଧ୍ୟ ଟିକେଟ ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ବହୁ ନେତା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲା । ଏଣୁ ବିଜେପି ଟିକେଟ ପାଇଲେ ବିଜୟ ସୁନିଶ୍ଚିନ୍ତ ଏହି ଆଶାରେ ଲାଗିଛି ଟିକେଟ ରେସ । ବିଜେପି ପକ୍ଷରୁ ଏଠାରେ ଟିକେଟ ରେସରେ ଅଛନ୍ତି ବିଜେପି ରାଜ୍ୟ ଉପସଭାପତି ରାଜ କିଶୋର ଦାସ,ଛୋଟେଲାଲ ମହାନ୍ତି ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ତିନିଜଣଙ୍କ ମଧ୍ୟରେ ଲାଗି ରହିଛି ଟିକେଟ ରେସ ।
ସେପଟେ କଂଗ୍ରେସ ଏଥର ଆସନ ହାତେଇବା ଲକ୍ଷରେ ଜେଏମଏମ ସହିତ ମେଣ୍ଟ କରିଛି । ଏଣୁ ଏଠାରେ କଂଗ୍ରେସକୁ ସୁଫଳ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେହଉଛି । ତେବେ କଂଗ୍ରେସ ପକ୍ଷରୁ ମଧ୍ୟ ଏଠାରେ ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ ରହିଛନ୍ତି । କିନ୍ତୁ ଯଦି ଜେଏମଏମ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଏ ତେବେ କଳିଙ୍ଗ କେଶରୀ ଜେନା ହିଁ ଏକମାତ୍ର ଦାବିଦାର । କିନ୍ତୁ କଂଗ୍ରେସର ଟିକେଟ ଦୌଡରେ ରହିଛନ୍ତି କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ଅଜିତ ଜେନା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରଭାସ୍କର ମହାପାତ୍ର।