ପିପିଲି: ବାଇପାସରେ ଓଲଟିଲା ବସ । ପିପିଲିି ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆ ବାଙ୍କ ଠାରେ ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ୍ ବସ । ଦୁର୍ଘଟଣାରେ ପ୍ରାୟ ୧୬ ଜଣ ଆହତ ହୋଇଥିଲା ବେଳେ ୫ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ନୟାଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ କିରିୟାଲାଙ୍ଗି ଗାଁର ପ୍ରାୟ ୩୦ଜଣ ଉକ୍ତ ବସରେ କାଳୀଜାଈ ବୁଲିବାକୁ ଯାଇଥିଲେ । ୨୪ତାରିଖ ରାତିରେ ଯାତ୍ରୀମାନଙ୍କୁ ନେଇ ଏହି ଜୟ ଶ୍ରୀରାମ ନାମକ ବସଟି ଗାଁରୁ ଯାତ୍ରା ଆରମ୍ଭ କରି କାଳୀଜାଈ ଓ ପୁରୀ ବୁଲିବା ପରେ ଭୁବନେଶ୍ୱର ଫେରୁଥିଲା । ତେବେ ସୋମବାର ଅପରାହ୍ନରେ ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆ ବାଙ୍କ ଟ୍ରାଫିକ ଆଉଟପୋଷ୍ଟ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହଠାତ ଓଲଟି ପଡିଥିଲା ।
ଖବରପାଇ ପିପିଲି ଏସଡିପିଓ ଦିଲ୍ଲୀପ ତ୍ରିପାଠୀ, ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ ସଦଳବଳେ ଘଟଣାସ୍ଥଳରେ ପହଂଚି ଯୁଦ୍ଧକାଳୀନ ଭିତିରେ ଆହତଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜବତ କରିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଦୁର୍ଘଟଣାରୁ ବର୍ତି ଯାଇଥିବା ଯାତ୍ରୀଙ୍କୁ ତାଙ୍କ ଗାଁକୁ ପଠାଇବାକୁ ବ୍ୟବସ୍ଥା ହୋଇଛି ।