ନୟାଗଡ (ଏଟିଆର ବ୍ୟୁରୋ); ସ୍ଥାନୀୟ ନୂଆଗାଁ ବ୍ଳକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ହୋଇଛି ମହା ଘୋଟାଲା । ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମାଳିସାହି ପଞ୍ଚାୟତର ବେଗୁନିଆସାହିଠାରୁ ଗୋଛାବାରୀ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ମହା ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏଠାରେ ଶ୍ରମିକମାନଙ୍କୁ କାମ ନଦେଇ ଜେସିବି ସାହାର୍ଯ୍ୟରେ କାମ କରାଯାଉଥିବା ବେଳେ ବିଲ୍ କଲା ବେଳେ ମଧ୍ୟ ହେରେଫେର ହେଉଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ । ତେବେ ଏ ସମ୍ପର୍କରେ ବ୍ଳକର ସହକାରୀ ଯନ୍ତ୍ରୀଏବଂ ବ୍ଳକ ପ୍ରଶାସନକୁ ପଚାରିଥିଲେ ସୁଦ୍ଧା କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନାହିଁ ।
ସୂଚନା ଅନୁଯାୟୀ, ମାଳିସାହି ପଞ୍ଚାୟତର ବେଗୁନିଆସାହିରୁ ଗୋଛାବାରୀ ପର୍ଯ୍ୟନ୍ତ ୨୦୧୮-୧୯ ଠିକା କାମ ପାଇଁ ୭ ଲକ୍ଷ ଟଙ୍କା ଅନୁଦାନ କରାଯାଇଛି । ତେବେ ଏଠାରେ ଗାଁକୁ ଯାଉଥିବା ରାସ୍ତା ଜଙ୍ଗଲ କାଟି କରାଯାଉଥିବା ବେଳେ ଏହି ସମ୍ପର୍କରେ ବନ ବିଭାଗ ପାଖରେ କୌଣସି ଖବର ଅନ୍ତର ନାହିଁ । ତେବେ ଏହା ଗ୍ରାମ୍ୟ ବିଭାଗ ଅଧିନରେ ଯାଉଥିବାରୁ ବନ ବିଭାଗ ଚୁପ ରହିଥିବା ଶୁଣିବାକୁ ମିଳୁଛି । ସେପଟେ ରାସ୍ତା କାମରେ ଲୋକ ମାନେ ନିୟୋଜିତ ନହୋଇ ଏଠାରେ ଜେସିବି ଲଗାଇ କାମ କରାଯାଉଥିବା ଥିବା ମଧ୍ୟ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଏଠାରେ ସରକାରଙ୍କ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲଙ୍ଘନ କରି କାମ କରାଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳିଛି ।
ଅଳ୍ପ କିଛି କାମ କରି ରାତାରାତି ବିଲ କରି ସରକାରୀ ଟଙ୍କାକୁ ହରିଲୁଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଠିକାଦାର । ରାସ୍ତା କାମ ପୁରା ନହେବା ପୂର୍ବରୁ ବ୍ଳକର କିଛି କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବିଲ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କ ଜବକାର୍ଡକୁ ନିଜ ପାଖରେ ରଖି ସେମାନଙ୍କ ନାମରେ ମଧ୍ୟ ଟଙ୍କା ଉଠାଉଛନ୍ତି । ଏମିତିକି ଅଞ୍ଚଳର କିଛି ନିଖୋଜ ଏବଂ ମରିଯାଇଥିବା ଲୋକଙ୍କ ନାମରେ ମଧ୍ୟ ଟଙ୍କା ଉଠାଉଥିବା ଅଭିଯୋଗ ହେଉଛି । ତେବେ କେବଳ ମାଳିସାହି ପଞ୍ଚାୟତ ନୁହେଁ ବ୍ଳକର ସବୁ ପଞ୍ଚାୟତରେ ଏଭଳି ଦୁର୍ନୀତି କରାଯାଉଥିବା ବ୍ଳକର କିଛି ସ୍ୱେଛାସେବୀ ଯୁବକ ସୂଚନା ଦେଇଛନ୍ତି ।