ଭୁବନେଶ୍ୱର,୨୬ା୨: ଆସନ୍ତା ୨୩ ତାରିଖରେ ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ । ଅର୍ଥାତ ଶାସକ ବିଜେଡି ପକ୍ଷରୁ ୩ ଜଣଙ୍କୁ ରାଜ୍ୟସଭା ପଠାଯିବ । ତେବେ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ବିଜେଡି ଦୈନିକ ଖବରକାଗଜ ସମ୍ବାଦର ମାଲିକ ତଥା ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପଠାଇପାରେ ବୋଲି ଚାରିଆଡ଼େ ଚର୍ଚ୍ଚା । ସମ୍ବାଦ ଖବରକାଗଜରେ ପ୍ରକାଶିତ ଖବରର ଦିଗ ବଦଳିବା ଅର୍ଥାତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁହାଇଲା ଭଳି ସମ୍ବାଦ ପରିବେଶ କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରକ ଯୋଗାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ନିଲମ୍ବନ ହେବା ପରେ ‘ଓ ଟିଭି’ ଏବେ ବିଜେଡିକୁ ନିଜର ଶତ୍ରୁଭଳି ବ୍ୟବହାର କରିବା ଆରମ୍ଭ କରି ଦେଇଛି । ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଅନ୍ୟତମ ଅଗ୍ରଣୀ ଖବରକାଗଜର ମାଲିକ ସୌମ୍ୟ ପଟ୍ଟନାୟକଙ୍କୁ ନିଜ ଦଳରେ ସାମିଲ କଲେ, ତାହା ବୈଜୟନ୍ତଙ୍କ ଅଭାବାକୁ ପୂରଣ କରିପାରିବ । ସମ୍ବାଦ ଜରିଆରେ ବିଜେଡି ନିଜର ପ୍ରଚାର ଓ ପ୍ରସାର କରିପାରିବ । ଏହାବାଦ୍ ସୌମ୍ୟଙ୍କ ହାତରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଭଳି ମିଡିଆ ହାଉସ୍ ରହିଛି । ଏପରି କି ଗତକାଲିଠାରୁ କନକ ନ୍ୟୁଜ୍ ‘ଚକ୍ ଦେ ଓଡ଼ିଶା’ ନାମରେ ଗୋଟିଏ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଓଡ଼ିଶା ସରକାରଙ୍କର ଗୁଣଗାନ କରାଯାଉଥିଲା । ଏଥିସହ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିଭିନ୍ନ ସଂଗଠନ ରହିଛି । ଚାଷୀ ସଂଗଠନର ଉପଦେଷ୍ଟା ହେଉଛନ୍ତି ସୌମ୍ୟ ରଞ୍ଜନ । ତେଣୁ ସୌମ୍ୟଙ୍କୁ ଦଳରେ ସାମିଲ କଲେ ବିଜେଡିର ଫାଇଦା ହେବ । ଏହାକୁ ଦେଖିଲେ ବିଜେଡି ଏଥର ନିଶ୍ଚୟ ସୌମ୍ୟ ପଟ୍ଟନାୟକଙ୍କୁ ରାଜ୍ୟସଭା ଟିକେଟ୍ ଦେବ ବୋଲି କୁହାଯାଉଛି ।
ଅନ୍ୟପଟେ ଏପରି ଚର୍ଚ୍ଚାରେ ସବୁଠାରୁ ଅଧିକ ବିଚଳିତ ହୋଇଛନ୍ତି, ସୌମ୍ୟ ପଟ୍ଟନାୟକଙ୍କ ବ୍ୟବସାୟିକ ଶତ୍ରୁ ତଥା ଦୈନିକ ଖବରକାଗଜ ଧରିତ୍ରୀର ସଂପାଦକ ତଥାଗତ ସତପଥୀ । ରବିବାର ନବୀନ ପଟ୍ଟନାୟକ କହିଥିଲେ ଯେ ଏଥର ରାଜ୍ୟସଭାକୁ ରାଜନୀତିକ ବ୍ୟକ୍ତିମାନଙ୍କୁ ପଠାଯିବ । ସୌମ୍ୟଙ୍କୁ ଲକ୍ଷ୍ୟ କରି କୁଆଡ଼େ ନବୀନ ଏକଥା କହିଛନ୍ତି ବୋଲି ରାଜନୀତିକ ବ୍ୟକ୍ତି ବିଶେଷମାନେ ମତ ଦେଇଛନ୍ତି । ତେବେ ଏଭଳି ମତ ପ୍ରକାଶ ପାଇବାରେ ତଥାଗତ ଆଜି ନିଜ ଖବର କାଗଜରେ ବିଜେପିକୁ ସମାଲୋଚନା କରିବା ଆଳରେ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ଟିକେଟ୍ ଦିଅନ୍ତୁ ନାହିଁ ବୋଲି ସୂଚାଇ ଦେଇଛନ୍ତି ।
ଏଥିପାଇଁ ତଥାଗତ ନିଜ ସମ୍ପାଦକୀୟରେ ‘ଇତିହାସ ଭୁଲନାହିଁ, ଶେଷ ହୋଇଯିବ’ ବୋଲି ମଧ୍ୟ ବିଜେଡିକୁ ହେଜେଇ ଦେଇଥିବା କୁହାଯାଉଛି । ଏଥିପାଇଁ ସେ ୧୯୮୦ ମସିହା ଅକ୍ଟୋବର ମାସରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଘଟଣା ଓ କଂଗ୍ରେସର ବିଲୋପ କଥା କହିଛନ୍ତି । ଛବିରାଣୀ ହତ୍ୟାକାଣ୍ଡ ପରେ ରାଜ୍ୟରୁ କଂଗ୍ରେସର ବିଲୁପ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ତଥାଗତ ପରୋକ୍ଷରେ ଚେତାଇ ଦେଇଛନ୍ତି । ସେ ଆହୁରି କହିଛନ୍ତି ‘ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ସତ୍ତ୍ୱେ ସେମାନଙ୍କୁ ଓଡ଼ିଶାବାସୀ ଆଜି ଯାଏ କ୍ଷମା କରିପାରୁନାହାନ୍ତି ।
ବିରାଟକାୟ ପରିବାରର ଖଣି, ମଣି, ଗଣମାଧ୍ୟମ ସହିତ ସବୁ ପ୍ରକାରର ବ୍ୟବସାୟିକ ଶକ୍ତି ଓ ବିପୁଳ ଅର୍ଥବଳ ସତ୍ତ୍ୱେ ସାମାଜିକ ଗ୍ରହଣୀୟତା ମିଳିପାରୁନାହିଁ । ସେହି ପରିବାରକୁ ଯେ କୌଣସି ରାଜନୀତିକ ଦଳ ସ୍ପର୍ଶ କରୁଛି, ତାହାର ବିନାଶ ସତେଯେମିତି ମହାପ୍ରଭୁ ଜଗନ୍ନାଥ କରାଇ ଦେଉଛନ୍ତି । ସବୁ ଥାଇ କିଛି ପାଇପାରୁ ନଥିବା ଭଳି ହତାଶ ହୋଇ ବୁଲୁଛନ୍ତି ।’ ତଥାଗତଙ୍କ ଏଭଳି ସଂପାଦକୀୟ ପରେ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସୌମ୍ୟ ରାଜ୍ୟସଭାକୁ ଗଲେ ତଥାଗତଙ୍କର କାହିଁକି ଅସୁବିଧା ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ଦିଲ୍ଲୀରେ ବିଜେଡି କହିଲେ ଯଦି କାହାକୁ ବୁଝାଏ, ତା’ହେଲେ ସେମାନେ ହେଲେ ସାଂସଦ ବୈଜୟନ୍ତ ପଣ୍ଡା, ଭର୍ତ୍ତୃହରି ମହତାବ ଓ ତଥାଗତ ସତପଥୀ । କିନ୍ତୁ ଏବେ ବୈଜୟନ୍ତ ବିଜେଡିରୁ ନିଲମ୍ବନ ହୋଇ ଯାଇଛନ୍ତି । ଭର୍ତ୍ତୃହରି ମଧ୍ୟ ଅନେକ ସମୟରେ ଦଳୀୟ ନେତାଙ୍କ ଆକ୍ରୋଶର ଶିକାର ହେବାର ନଜର ରହିଛି । କୁହାଯାଏ, ଭର୍ତ୍ତୃହରି ବିଜେପି ସହ ଭିତିରିଆ ଡିଲ୍ କରିଛନ୍ତି । ଏହି ଦୁଇ ଜଣଙ୍କ ପରେ ପାଳି ଆସେ ତଥାଗତଙ୍କର । ତଥାଗତଙ୍କ ହାତରେ ଧରିତ୍ରୀ ଭଳି ଏକ ବଡ଼ ବ୍ରାଣ୍ଡ୍ ଖବରକାଗଜ ଥିବାରୁ ସେ ବିଜେଡିର ଗେହ୍ଲା ପୁଅ ହୋଇ ରହିଛନ୍ତି । ଦଳ ବିରୋଧରେ ସେ ମୁହଁ ଖୋଲିଲେ କିମ୍ବା ବିବାଦୀୟ ବୟାନ ଦେଲେ ମଧ୍ୟ ଦଳୀୟ ସୁପ୍ରିମୋ ତାଙ୍କୁ କେବେ କିଛି କୁହନ୍ତି ନାହିଁ ।
ନିକଟରେ ଦଳିତଙ୍କୁ ଅମପାନ କରି ତଥାଗତ କରିଥିବା ଟ୍ୱିଟ୍ କୁ ଏହାର ଉଦାହରଣ ଭାବେ ନିଆଯାଇପାରେ । କିନ୍ତୁ ଯଦି ଏବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପଠାଇବେ, ତା’ହେଲେ ତଥାଗତଙ୍କ ଦବଦବା ଉପରେ ଏହାର ପ୍ରଭାବ ପଡ଼ିବ । ପୁଣି ଧରିତ୍ରୀ ତୁଳନାରେ ସମ୍ବାଦର ଲୋକପ୍ରିୟତା ଅଧିକ ରହିଛି । ତେଣୁ ଯଦି ସୌମ୍ୟ ରଞ୍ଜନ ବିଜେଡିରେ ସାମିଲ ହେବେ, ତା’ହେଲେ ବିଜେଡିର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ ଓ ପ୍ରଚାର ମଧ୍ୟ ହୋଇପାରିବ ।
ଏପରି ସ୍ଥଳରେ ତଥାଗତ ପୂର୍ବରୁ ଯେଉଁଭଳି ରୋକଠୋକ କଥା କହି ନିଜ ମର୍ଜିରେ କାମ କରୁଥିଲେ, ସେଥିରେ କିଛିଟା ବ୍ରେକ୍ ଲାଗିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ ତଥାଗତଙ୍କ ଦବଦବା ରହିଛି । କିନ୍ତୁ ଥରେ ବିଜେଡି ଟିକେଟ୍ କୁ ସୌମ୍ୟ ରାଜ୍ୟସଭାକୁ ଚାଲିଗଲେ, ତା’ହେଲେ ସେ ହିଁ ସେଠାରେ ଦଳର ନେତୃତ୍ୱ ନେବେ । ଏପରି ସ୍ଥିତିରେ ତଥାଗତ ସ୍ୱାଭାବିକ ଭାବେ ସୌମ୍ୟ ରଞ୍ଜନକୁ ବିରୋଧ କରିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଖାସ୍ ସେଥିପାଇଁ ତଥାଗତ ଲେଖିଛନ୍ତି ‘ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାରକୁ ଯେ କୌଣସି ରାଜନୀତିକ ଦଳ ସ୍ପର୍ଶ କରୁଛି, ତାହାର ବିନାଶ ସତେ ଯେମିତି ମହାପ୍ରଭୁ ଜଗନ୍ନାଥ କରାଇ ଦେଉଛନ୍ତି ।’ ଅର୍ଥାତ ସୌମ୍ୟଙ୍କ ବିଜେଡି ପ୍ରବେଶକୁ ସେ ବିରୋଧ କରୁଛନ୍ତି ।