କଳାହାଣ୍ଡି (ଏଟିଆର ବ୍ୟୁରୋ); ସମ୍ପର୍କ ଦେଖିଲାନି ପୁଅ । ନିଜ ଜନ୍ମ କଲା ମା’କୁ ମାରି ମାଟିତଳେ ପୋତି ଦେଇ ଫେରାର । ତେବେ ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନ ଗାଁରେ । ମା ଲଙ୍କା ବେୱାଙ୍କୁ ମାରିବା ପରେ ମାଟିତଳେ ପୋତି ଦେଇ ଫେରାର ହୋଇଯାଇଛି ପୁଅ ରମେଶ ବେମାଳ । ପୋଲିସ ଖବର ପାଇବା ପରେ ମାଟି ତଳୁ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ରମେଶକୁ ଖୋଜିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି ।
ଗତ ମାସ ୨୫ ତାରିଖରୁ ମା ଏବଂ ପୁଅ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ରମେଶ ନିଜ ମାକୁ ଛୁରୀରେ ପେଟ ଏବଂ ପିଠିକୁ ଭୁସି ଦେଇଥିଲା । ପରେ ମା ବିକଳ ହେଉଥିବା ଦେଖିବା ପରେ ନିଜେ ମେଡିକାଲ ନେଇଥିଲା ରମେଶ । ପ୍ରଥମେ କୋକସରା ମେଡିକାଲକୁ ନେଇଥିଲା । ଏବଂ ପରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିଛି ଦିନ ମେଡିକାଲରେ ରହିବା ଶୁକ୍ରବାର ଘରକୁ ଫେରିଥିଲେ ଲଙ୍କା । ଗତକାଲି ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଲଙ୍କା ବେୱାଙ୍କ ମୃତ୍ୟୁ ହେବା ପରେ ପୁଅ ରମେଶ ମାକୁ ମାଟି ଖୋଳି ପୋତି ଦେଇଥିଲା । ଗାଁ ଲୋକ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ମାଟି ତଳୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ପୋଲିସ ଆସିବା ଖବର ପାଇବା ପରେ ରମେଶ ଫେରାର ହୋଇ ଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।