ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାରେ ନିର୍ବାଚନ ଲଢ଼ିବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ଆସନ୍ତା ନିର୍ବାଚନ ପାଇଁ ଦଳ ଓଡିଶାରେ ପ୍ରାର୍ଥୀ ଘୋଷଣା କରିଛି । ମଙ୍ଗଳବାର ରାତିରେ ଓଡିଶାର ୮ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି ଦିଦି । ଏହି ଦୁଇଟି ଜିଲ୍ଳାରେ ପ୍ରାର୍ଥୀ ଦେଇଥିବା ଦେଖିବାକୁ ମିଳିଛି । ତେବେ ବାକି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କେବେ ଘୋଷଣା କରିବେ ତାହା ସ୍ପଷ୍ଠ ହୋଇନାହିଁ ।
ଓଡିଶାରେ ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ହେଲେ ଭଣ୍ଡାରୀପୋଖରୀରୁ ଶିବନାରାୟଣ ବିଶ୍ୱାଳ,ଭଦ୍ରକ-ରାମହରି ଦାସ,ବାସୁଦେବପୁର-ନାଥ ବୈରାଗୀ ଦାସ ବେହେରା,ଜୟଦେବ-ବିଷ୍ଣୂ ଚରଣ ମଲ୍ଲିକ,ଭୁବନେଶ୍ୱର(ମଧ୍ୟ)-ତ୍ରିନାଥ ସାହୁ,ଭୁବନେଶ୍ୱର(ଉତ୍ତର)-ପ୍ରମୋଦ ପଢ଼ିହାରୀ, ଜଟଣୀ-ଯଦୁମଣୀ ପ୍ରଧାନ । ଲୋକସଭା ପ୍ରାର୍ଥୀ ଦ୍ୱୟ ହେଲେ ଭଦ୍ରକ- ଅଗ୍ନିଚରଣ ଜେନା ଏବଂ ଭୁବନେଶ୍ୱର- ଶୁଭ୍ରାଶଂ ଶେଖର ପାଢ଼ୀ ।
ତେବେ ବାକି ଆସନ ପାଇଁ ପ୍ରାର୍ଥୀ ଦେବେ କି ନାହିଁ ତାହା ସ୍ପଷ୍ଠ ହୋଇ ନାହିଁ । ରାଜ୍ୟରେ ୩ ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଥିବା ବେଳେ ଟିଏମସିର ଏଣ୍ଟି ନିର୍ବାଚନ ମାହୋଲକୁ ଆହୁରି ସରଗରମ କରିଦେବ । ସେପଟେ କେନ୍ଦ୍ରୀୟ ନେତାମାନେ ମାଳ ମାଳ ହୋଇ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ଏପଟେ ଟିଏମସି ପ୍ରାର୍ଥୀ ଘୋଷଣା । ରାଜ୍ୟ ରାଜନୀତି ଉପରେ ଏହାର ପ୍ରଭାବ ନିଶ୍ଚିନ୍ତ ପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।