ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପାରଦ୍ୱୀପ ବିଧାୟକ ଦାମୋଦର ରାଉତ । ରାଜ୍ୟ ରାଜନୀତିର ସେ ହେଉଛନ୍ତି ଜଣେ ପୁରୁଖା ନେତା । ଦାମ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହି ମୁହଁଖୋର ତୁଣ୍ଡ ପାଇଁ ତାଙ୍କୁ ଦଳରୁ ତଡା ଖାଇବାକୁ ପଡିଛି । ତେବେ ଦଳର ବିଦା ହେବାପରେ ଦାମ ରକ୍ତମୁଖା ହୋଇ ବିଜେଡି ସରକାରକୁ ଲୋପ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତକାଲି ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା କି ଦାମ ବିଜେଡି ସହ ସାଲିସ କରିଛନ୍ତି । ନିଜ ପୁଅ ଏବଂ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ସାଲିସ କରିବା ପାଇଁ ବାଧ୍ୟ ହୋଇଛନ୍ତି ଦାମ । କିନ୍ତୁ ୧୨ ଘଣ୍ଟା ମଧ୍ୟରେ ଏହାର ସଷ୍ଠୀକରଣ ଦେଇଛନ୍ତି ଦାମ । ସେ କହିଛନ୍ତି ମୁଁ କେବେ ବିଜେଡି ସହିତ କୌଣସି ଚୁକ୍ତି କରିନି ।
ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କି ଦାମଙ୍କ ନିର୍ବାଚନ ମଣ୍ଡଳୀରେ ପୁଅ ସମ୍ଭିତଙ୍କୁ ବିଜେଡି ବିଧାୟକ ଟିକେଟ ଦେବ ଏବଂ ଭୁବନେଶ୍ୱରରେ କର୍ପୋରେଟର ଥିବା ଝିଅକୁ ମେୟର କରାଯିବ । ଏହି ଘଟଣାରେ ମଧ୍ୟସ୍ଥତା କରିଛନ୍ତି ବିଜେଡିର ପାୱାର କରିଡର ନେତା ବବି ଦାସ । ପୁଅ ଏବଂ ଝିଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଦାମ ଚୁପ ରହିବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଦାମ ୧୨ ଘଣ୍ଟାପରେ କହିଥିଲେ କି ଏହା ଏକ ମିଥ୍ୟା ପ୍ରଚାର ଏବଂ ରାଜନୈତିକ ଚାଲ । ମୁଁ ନବୀନ ଏବଂ ପାଣ୍ଡିଆନ ସରକାର ବିରୋଧରେ ଲଢ଼ୁଥିଲି ଏବଂ ଆଗକୁ ମଧ୍ୟ ଲଢ଼ିବି ବୋଲି ନିଜର ଫେସବୁକ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ଦାମ ।
ସେ ଫେସବୁକ ପେଜରେ ଲେଖିଛନ୍ତି କି କେତେକ ସସ୍ଥା ସୋସିଆଲ ମିଡିଆ ଆକ୍ଟିଭିଷ୍ଟ ଏବଂ କିଣା ଟିଭି ଚ୍ୟାନେଲ ତାଙ୍କ ବିଷରେ ମିଛରେ ଲେଖିଛନ୍ତି । ମୁଁ କେବେ ଦୁର୍ନୀତିଗସ୍ତ ଲୋକଙ୍କ ସହ ରୁଦ୍ଧଦ୍ୱାର ଡିଲ କରିନି । ଏହା କେବଳ ମିଥ୍ୟା ପ୍ରଚାର । ତେବେ ସେ ଯାହାବି ହେଉ ପ୍ରତ୍ୟେକଟି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦାମ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ।