ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଦଳରେ ପଦବୀ ବିହୀନ ନେତା ଯୋଗ ଦେଉଥିବା ବେଳେ ଦଳର ଭଳ ପୋଜିସନରେ ଥିବା ନେତା ଜଣଙ୍କ ପରେ ଜଣେ ଦଳରୁ ଇସ୍ତଫା ଦେଉଛନ୍ତି । ଯାହାକି ଆଗାମି ଦିନରେ ଦଳକୁ ଅଡୁଆରେ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଶୁକ୍ରବାର ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜର ଇସ୍ତଫା ପଠାଇଛନ୍ତି ସୁକାନ୍ତ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି ।
ଦଳର ଏକ ମିଶ୍ରଣ ପର୍ବରେ ସୁକାନ୍ତଙ୍କୁ ଅଣଦେଖା କରାଯାଇଛି । ଯାହାକି ତାଙ୍କୁ ଭାରି ବାଧିଛି । ଏଣୁ ସେ ଶେଷରେ ବାଧ୍ୟ ହୋଇ ଦଳ ଛାଡିଛନ୍ତି । ସୂଚନା ଯୋଗ୍ୟ, ନିକଟରେ ନୀଳଗିରିର ବିଜେପି ନେତ୍ରୀ ସୁଷମା ଆସି ବିଜେଡିରେ ଯୋଗ ଦେବା ପରେ ସୁକାନ୍ତଙ୍କ ରାସ୍ତା କଣ୍ଟକମୟ ହୋଇ ପଡିଛି । ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନାଙ୍କ ମଧ୍ୟସ୍ଥତାରେ ସୁଷମା ଦଳରେ ମିଶିଛନ୍ତି । ଏଣୁ ସୁକାନ୍ତଙ୍କୁ ଦଳ ଅଣଦେଖା କରିବା ଆରମ୍ଭ କରି ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ବିଜେଡି ଜିଲ୍ଲା ସଭାପତି ତାଙ୍କୁ ଦେଉଥିବା ମାନସିକ ନିର୍ଯ୍ୟାତନା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।
୨୦୦୯ ଏବଂ ୨୦୧୪ ନିର୍ବାଚନରେ ସୁଷମାଙ୍କୁ ଅମାନତ ହରାଇଥିଲେ ସୁକାନ୍ତ । କିନ୍ତୁ ବିଜେଡି ସୁଷମାଙ୍କୁ ଦଳରେ ସାମିଲ କରିବା ସୁକାନ୍ତଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । ଏଣୁ ସେ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଦଳର କିଛି ମୁଷ୍ଟିମେୟ ନେତା ତାଙ୍କ ବିରୋଧରେ ଷଡଜନ୍ତ୍ର ଚଳାଉଛନ୍ତି । ତେବେ ସୁକାନ୍ତ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୁଷମା ତାଙ୍କ ଜାଗା ନେଇଥିବାରୁ ସେ ସୁଷମାଙ୍କ ସ୍ଥାନ ନେଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।