ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ଚର୍ଚ୍ଚାରେ କିସ । ଇନଫୋସିଟି ଥାନା ଅଧିନରେ ଥିବା କିସ କ୍ୟାମ୍ପସରୁ ପିଲା ଗାଏବ ହୋଇଯାଉଛନ୍ତି ଅଥଚ ଏନେଇ କିଛି ଜାଣି ପାରୁନାହାନ୍ତି ବିଭାଗୀୟ ଅଧିକାରୀ । ଆମେ ଏଥିପାଇଁ ଏ କଥା କହୁଛୁ କାରଣ କ୍ୟାମ୍ପସରୁ ଫେରାର ଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ବାଲେଶ୍ୱରରୁ ଉଦ୍ଧାର କରାଯାଇଛି । ସବୁଠୁ ବଡ଼ କଥା ହେଉଛି ୮ଦିନ ତଳେ ଘଟିଥିବା ଏହି ଘଟଣାକୁ ଯଥା ସମ୍ଭବ ଚପାଇ ରଖିବାକୁ ଚେଷ୍ଟା କରାଯାଇଥିଲା ।
କୁହାଯାଉଛି ନିଜର ଭାବମୂର୍ତ୍ତି ବଜାୟ ରଖିବାକୁ ଏଭଳି ପ୍ରୟାସ କରିଥିଲେ କିସ କର୍ତ୍ତୃପକ୍ଷ । ଯାହା ଏବେ ଫସର ଫାଟିଛି । କଥାଟି ଦାଣ୍ଡରେ ପଡି ହାଟରେ ଗଡିଲାଣି । ମିଳିଥିବା ରିପୋର୍ଟ ଅନୁସାରେ, ସମାନ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଓ ଛାତ୍ର ଉଭୟ ଫେରାର ହୋଇଯାଇଥିଲେ । ଏନେଇ କିସ କର୍ତ୍ତୃପକ୍ଷ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ଖୋଳତାଡ କରି ଉଭୟଙ୍କୁ ବାଲେଶ୍ୱରରୁ ଠାବ କରିଛି ।
ତେବେ କିସରୁ ପିଲା ଚମ୍ପଟ ମାରିବା ଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟିଥିବାର ନଜିର ରହିଛି । ବାରମ୍ବାର ପିଲା କ୍ୟାମ୍ପସରୁ ଫେରାର ହେବା ଘଟଣା ନିଶ୍ଚିତ ଭାବେ କିସର ଦାୟିତ୍ୱହିନତାକୁ ପଦାରେ ପକାଇଛି ।