ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ହେବିୱେଟ ନେତା ଦାମୋଦର ରାଉତ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦେଇଛି ବିଜେପି । ତେବେ ନିଜର ତୁଣ୍ଡ ପାଇଁ ପରିଚିତ ଥିବା ଦାମ ବିଜେପିରେ ଯୋଗ ଦେବା ପରେ ଆରମ୍ଭ ହୋଇଯାଇଛି ବିଭିନ୍ନ ତର୍ଜମା । ପୂର୍ବରୁ ବିଜେପିକୁ କଡା ସମାଲୋଚନା କରୁଥିବା ଦାମ ବିଜେପିରେ ଯୋଗ ଦେବା ପରେ ବିଭିନ୍ନ ମହଲରୁ ବିଭିନ୍ନ ସମାଲୋଚନା କରାଯାଇଛି । ମୁଖ୍ୟତଃ ଦାମଙ୍କୁ ନିଜ ପୁଅ ମଧ୍ୟ ସମାଲୋଚନା କରିଥିବା ଶୁଣିବାକୁ ମିଳିଛି । ସମ୍ବିତ କହିଛନ୍ତି କି ମୁଁ ବିଜେଡିରେ ରହିଛି ଯଦି ବାପା ପାରାଦୀପରୁ ବିଜେପି ଆସନରେ ନିର୍ବାଚନ ଲଢ଼ିବା ପାଇଁ ଚେଷ୍ଟା କରନ୍ତି ତେବେ ମୁଁ ତାଙ୍କ ସାମନା କରିବାକୁ ରେଡି ଅଛି । ତେବେ ଦଳ ଯଦି ମୋତେ ଟିକେଟ ଦିଏ ଏବଂ ମୋ ଉପରେ ଭରଷା ରଖେ ତେବେ ମୁଁ ଲଢ଼ିବା ପାଇଁ ଆଗେଇ ଆସିବି ।
ସମ୍ବିତ କହିଛନ୍ତି ସେ ବିଜେପିରେ ମିଶିଲେ ମୋର କିଛି ଫରକ ପଡିବନି । ସେପଟେ ଦାମଙ୍କ ପାରାଦୀପ ଆସନରେ ପ୍ରତିଦ୍ୱନ୍ଦୀ କରୁଥିବା କଂଗ୍ରେସ ନେତା ବାପି ସର୍କେଲ ତିବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି କ୍ଷମତା ପାଇଁ ଦାମ ସବୁ କିଛି କରିପାରନ୍ତି । କ୍ଷମତା ପାଇଁ ଜଣେ ବ୍ୟକ୍ତି କେଉଁ ସ୍ତରକୁ ଖସିପାରେ ଦାମ ବାବୁ ହେଉଛନ୍ତି ତାହାର ଶ୍ରେଷ୍ଠ ଉଦାହରଣ ବୋଲି ବାପି କହିଛନ୍ତି। କୁଜଙ୍ଗର ବିଜେଡି ନେତା ପୀତାମ୍ବର ତରାଇ କହିଛନ୍ତି, ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି। ଦାମ କ୍ଷମତା ଲୋଭରେ ବିଜେପିରେ ସାମିଲ ହୋଇଛନ୍ତି। ଅପର ପକ୍ଷରେ ଦାମଙ୍କ ବିଜେପିରେ ସାମିଲ ହେବାକୁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୂଲ୍ୟହୀନ ପ୍ରସଙ୍ଗ ବୋଲି କହି ଏଡାଇ ଯାଇଛନ୍ତି।ସେ କହିଛନ୍ତି, ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କରିବା ଭଳି ଦାମ ଏବେ ବିଜେପି ଶରଣରେ ପଶିଛନ୍ତି। ଭଲ ହେଲା, ଆସନ୍ତା ସାଧାରଣ ନିର୍ବାଚନରେ ଦାମ ନିଜ ଓଜନ ମାପି ପାରିବେ।
ତେବେ ଦାମ ବିଜେପିରେ ଯୋଗ ଦେବା ପରେ ବିଜେପି କର୍ମୀ ବେଶ ଖୁସି ଅଛନ୍ତି । ଦାମଙ୍କ ଦଳରେ ଯୋଗ ଦାନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଏବଂ ନିର୍ବାଚନରେ ବିଜେଡିକୁ କଡାଟକ୍କର ଦେବାରେ ଦାମ ଦଳର ମୁଖ୍ୟ ରହିବେ । ତେବେ ଦାମ କେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବେ ତାହା ଠିକ ହୋଇନାହିଁ । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବା ପାଇଁ ଦାମଙ୍କ ଇଛା ରହିଛି । ତେବେ ସେ ଯଦି ପାରଦୀପରେ ପ୍ରାର୍ଥୀ ହୁଅନ୍ତି ଏବଂ ଅପରପକ୍ଷରେ ସମ୍ବିତ ଯଦି ବିଜେଡି ଟିକେଟ ପାଇବେ ତେବେ ପାରାଦୀପରେ ବାପ- ପୁଅ ଲଢ଼େଇ ହେବ ।