ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଦଳିପାରେ ନବୀନଙ୍କ ନିଷ୍ପତି । ନୂଆ ଆସନରୁ ଲଢ଼ିପାରନ୍ତି ନିର୍ବାଚନ । ଗଞ୍ଜାମ ଜିଲ୍ଲା ହିଞ୍ଜିଳ ଆସନିରୁ ୪ଥର ନିର୍ବାଚିତ ହେବା ପରେ ଚଳିତ ନିର୍ବାଚନରେ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିପାରନ୍ତି ନବୀନ । ପଶ୍ଚିମ ଓଡିଶାର ବହୁ ବୁଦ୍ଧିଜୀବୀ,ଲେଖକ ଏବଂ ଦଳୀୟ କର୍ମୀ ରବିବାର ନବୀନଙ୍କୁ ଭେଟିବା ସହିତ ନିର୍ବାଚନ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିଥିଲେ । ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ଜନ ସାଧାରଣ ବହୁତ ଭଲ ପାଆନ୍ତି ଏଣୁ ଯେକୌଣସି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।
ଏବେ ସବୁ ଦଳର ନଜର ପଶ୍ଚିମ ଓଡିଶା ଉପରେ ଥିବା ବେଳେ ନବୀନଙ୍କ ନିଷ୍ପତିକୁ ସମସ୍ତଙ୍କ ଅପେକ୍ଷା । ବିଜେପି ଏବଂ କଂଗ୍ରେସ ପଶ୍ଚିମ ଓଡିଶାରେ କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ବିରୋଧୀ । ଏଣୁ ନବୀନ ନିଜର ନିଷ୍ପତି ବଦଳାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଶ୍ଚିମ ଓଡିଶା ଗସ୍ତରେ ଆସି ଚାଷୀଙ୍କ ମନ ମୋହିବା ପାଇଁ ଚେଷ୍ଟା କରିଛନ୍ତି । ନିକଟରେ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇ ତିନୋଟି ରାଜ୍ୟରେ ସରକାର ଗଠନ କରିଥିଲେ ରାହୁଲ । ଏଣୁ ଓଡିଶାରେ ଏହାର ପୁନରାବୃତ୍ତି ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କୁ ଦଳୀୟ କର୍ମୀଙ୍କ ଆହ୍ୱାନ ରାଜନୈତିକ ପାଣିପାଗରେ ନୂଆ ମୋଡ ନେଉଛି ।
ଅପରପକ୍ଷରେ ହିଞ୍ଜିଳିକୁ ଯଦି ମୁଖ୍ୟମନ୍ତ୍ରୀ ବାଏ ବାଏ କହିବେ ତେବେ ବିରୋଧୀଙ୍କୁ ନବୀନଙ୍କ ଗଡରେ ପଶିବା ପାଇଁ ସହଜ ହୋଇପାରେ । ବିଜେପି ପକ୍ଷରୁ ସେଠାରେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ପିଙ୍କି ପ୍ରଧାନ ହିଞ୍ଜିଳିରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ନବୀନ ଯଦି ଗଡ ବଦଳାଇ ଦିଅନ୍ତି ତେବେ ପିଙ୍କିଙ୍କ ପାଇଁ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଆଶା ରହିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାରୁ ଆଗକୁ କଣ ହେବ ତାହା ସମୟ କହିବ ।