ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପିରେ ଯୋଗ ଦେବା ପରେ ବିରୋଧରେ ମନ୍ତବ୍ୟ ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ନବୀନ ସରକାରଙ୍କ ଶାସନ କାଳ ମଧ୍ୟରେ ଆଦିବାସୀଙ୍କ କୌଣସି ବିକାଶ ହୋଇନଥିବା କହିଛନ୍ତି ବଳଭଦ୍ର । ଅଞ୍ଚଳରେ ଯାହାବି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହୋଇଥିବା ସେ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ନବୀନ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଥିବା ଶୁଣିବାକୁ ମିଳିଛି । ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ହୋଇଥିଲେ ସୁଦ୍ଧା ସେଦ କୌଣସି ବିକାଶ ମୂଳକ କାର୍ଯ୍ୟ କରି ନାହାଁନ୍ତି ବୋଲି କଟାକ୍ଷ କରିଛନ୍ତି ବଳଭଦ୍ର ।
ଅପର ପକ୍ଷରେ ବଳଭଦ୍ରଙ୍କ ସମାଲୋଚନାର ଉତ୍ତର ରଖି ୫ ବର୍ଷ ଧରି ଦଳରେ ରହି ଯଦି ସାଂସଦ ହିସାବରେ ବିକାଶ କରିପାରିଲେନି , ଲୋକଙ୍କ ପାଖରେ ପହଁଚି ପାରିଲେନି, ସେଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରମେଶ ମାଝି ।ସେ ଏବେ ଦଳରୁ ଯିବା ପରେ ବିଜେପିର ଭାଷା କହୁଛନ୍ତି ବୋଲି କହିଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ।ଯଦି ସାଂସଦଙ୍କର ଏତେ ସବୁ ଦରଦ ଥିଲା ତେବେ ସେ ପୂର୍ବରୁ କେଉଁଠି ଶୋଇଥିଲେ । ଏବଂ ବିଜେପିରେ ଯୋଗ ଦେବା ପରେ କଣ ମନେ ପଡିଗଲା ବୋଲି ପ୍ରଶା୍ନ କରିଛନ୍ତି ରମେଶ ।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ବିଜେଡିରେ ଅଣଦେଖା କରିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ସେ ବିଜେଡି ଛାଡିବା ପରେ ବିଜେଡିକୁ ଝଟକା ଲାଗିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ଦଳ ଏହାକୁ ଖଣ୍ଡନ କରିଛି । ଯିଏ ଦଳ ଛାଡିଲେ ମଧ୍ୟ ନବୀନଙ୍କ ଲୋକ ପ୍ରିୟତା ଆଗରେ କିଛି ଫରକ ପଡିବ ନାହିଁ ବୋଲି ବିଜେଡି ପକ୍ଷରୁ ଦୃଢ଼ୋକ୍ତି ଦିଆଯାଇଛି ।