ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡିରେ ଦେଖା ଦେଇଛି ଦଳୀୟ କନ୍ଦଳ । ବିଜେଡି ଟିକେଟ ବଣ୍ଟାକୁ ନେଇ ଘର କଳି ଦାଣ୍ଡରେ ପଡି ହାଟରେ ଗଢ଼ୁଛି । ସବୁଠି ଦେଖା ଦେଇଛି ଅସନ୍ତୋଷ । ବର୍ଷ ବର୍ଷ ଧରି କାମ କରି ଆସୁଥିବା ନେତା ରାତି ଅନିଦ୍ରା ହୋଇ ସଂଗଠନ ଜୋରଦାର କରୁଥିବା ବେଳେ ମୁଗୁରା ପଛ ମେଲା ହେଲା ଭଳି ସେମାନଙ୍କ ଭାଗ୍ୟ ଫଟା । ତେବେ ଦଳୀୟ କର୍ମୀ ଅସନ୍ତୋଷ ଧିରେ ଧିରେ ବଢ଼ିବାରେ ଲାଗିଛି । ଯାହାକି ଦଳ ପାଇଁ ନିର୍ବାଚନରେ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜେଡିର ଅସନ୍ତୁଷ୍ଟ ନେତା ବିଜେପି ମୁହାଁ ହେବେ ବୋଲି ଶୁଣିବାକୁ ମିଳିଛି । ତେବେ ଏଭଳି ଯଦି ହୁଏ ତେବେ ବିଜେଡିକୁ ବହୁତ ବଡ କ୍ଷତି ସହିବାକୁ ପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ପ୍ରଥମ ଦିନ ଟିକେଟ ବଣ୍ଟାରେ ସଂଗଠନ ଦୃଢ଼ଥିବା ନେତାଙ୍କୁ ଟିକେଟ ନଦେବାରୁ ପୋଷ୍ଟର ପୋଡାଜଳା କରିବା ସହିତ ନବୀନ ବିରୋଧୀ ନାରା ଦେଇଥିଲେ ଦଳୀୟ କର୍ମୀ । ଗଜପତି ବିଜେଡି କାର୍ଯ୍ୟାଳୟରେ ହୋଇଥିବା ଦଳୀୟ କନ୍ଦଳ ଏଟିଆର ନ୍ୟୁଜ ପ୍ରଥମେ ଖବର ପ୍ରସାରଣ କରିଥିଲା । ଏହାପରଠାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ଆରମ୍ଭ ହୋଇଯାଇଛି ବିଜେଡି ଗୋଷ୍ଠୀ କନ୍ଦଳ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନ ସଭା ଆସନରେ ବିଜେଡି ମହିଧର ରଣାଙ୍କୁ ଟିକେଟ ଦେବା ପରେ ସେଠାରେ ମଧ୍ୟ ଆରମ୍ଭ ହୋଇଯାଇଥିଲା ଗୋଷ୍ଠୀ କନ୍ଦଳ । ଦଳୀୟ କର୍ମୀମାନେ ଅଭିଯୋଗ କରିଛନ୍ତି କି ଏଥର ଟିକେଟ ବଣ୍ଟାରେ ଅନିୟମିତତା କରାଯାଇଛି ।
କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଲୋକସଭା ଟିକେଟ ଦେବା ପରେ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ । ଅଚ୍ୟୁତ କେବେ ଯେଉଁ ଅଞ୍ଚଳରେ ପାଦ ଦେଇନଥିଲେ କି ଲୋକଙ୍କ ସହ ମିଶିନଥିଲେ ସେଠାରେ ଟିକେଟ ଦେବାକୁ ନେଇ ଦେଖାଦେଇଥିଲା ଦଳୀୟ ଅସନ୍ତୋଷ । ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମାଙ୍କୁ ଟିକେଟ୍ ନଦେବାକୁ ଦାବି କରି ଦୁଇ ନେତା କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ କୁମାର ବରାଳ ଦଳରୁ ବହିଷ୍କୃତ ହୋଇଛନ୍ତି। ଏହାପରେ ଏଠାରେ ବିଜେଡିର ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଏହି ଦୁଇ ନେତାଙ୍କ ବହିଷ୍କାରକୁ ବିରୋଧ କରି ସ୍ଥାନୀୟ କର୍ମୀମାନେ ସଞ୍ଜୟ ଦାସବର୍ମାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।