ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନବରଙ୍ଗପୁର ଲୋକସଭା ଆସନରେ ତିନି ମାଝୀଙ୍କ ମଧ୍ୟରେ ହେବ ଲଢ଼େଇ । ବିଜେପି ପକ୍ଷରୁ ସାଂସଦ ବଳଭଦ୍ର ମାଝୀ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ବେଳେ କଂଗ୍ରେସର କାଯ୍ୟକାରୀ ସଭାପତି ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଦୀପ ମାଝୀ ନିର୍ବାଚନ ଲଢ଼ିବେ । ଅପରପକ୍ଷରେ ଶାସକ ବିଜେଡି ପକ୍ଷରୁ ମନ୍ତ୍ରୀ ରମେଶ ମାଝୀଙ୍କୁ ଭରଷା କରି ଟିକେଟ ଦେଇଛି ଦଳ । ତେବେ ତିନି ମାଝୀଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଇଛି ।
ଗତ ନିର୍ବଚନରେ ପ୍ରଦୀପ ମାଝୀ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ି ମାତ୍ର ୨ହଜାର ଭୋଟରେ ପରାସ୍ତ ହୋଇଥିଲେ । ଏଣୁ ଏଥରକ ପୁଣିଥରେ ଲୋକପ୍ରିୟତା ବଜାୟ ରଖି ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି । ତେବେ ବିରୋଧୀ ବିଜେପି ଏବଂ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ପୂର୍ବ ନିର୍ବାଚନରେ ବଳଭଦ୍ର ମାଝୀ ବିଜେଡି ଟିକେଟରେ ବିଜୟ ହୋଇଥିଲେ ସୁଦ୍ଧା ଦଳରେ ଅଣଦେଖା କରିବାରୁ ସେ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ । ଶେଷରେ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଭରଷା କରି ଦଳ ଟିକେଟ ଦେଇଛି । ଅପରପକ୍ଷରେ ମନ୍ତ୍ରୀ ରମେଶ ମାଝୀଙ୍କୁ ପ୍ରଥମ ଥର ପାଇଁ ଦିଲ୍ଲୀ ପଠାଇବା ପାଇଁ ବିଜେଡି ଟିକେଟ ଦେଇଛି । ସଂସଦୀୟ କ୍ଷେତ୍ରରେ ରମେଶଙ୍କ ବାପାଙ୍କ ଅମଳରୁ ଭଲ ଲୋକପ୍ରିୟତା ଥିବାରୁ ଚଳିତ ନିର୍ବାଚନରେ ସେ ମଧ୍ୟ ଦୁଇ ବରିଷ୍ଟ ନେତାଙ୍କୁ ଟକ୍କର ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ଆଗାି ଦିନରେ ଭୋଟର କେଉଁ ମାଝୀଙ୍କ ଉପରେ ଭରଷା କରିବେ ତାଉପରେ ସମସ୍ତଙ୍କ ନଜର ।